Categories: ଜାତୀୟ

ଅଜାନ୍‌ ସମୟରେ ବାଜି ପାରିବନି ହନୁମାନ ଚାଳିଶା

ନାଶିକ,୧୮।୪: ଅଜାନ୍‌ ସମୟରେ ହନୁମାନ ଚଲିଶା ସହରରେ ବାଜିବାକୁ ଦିଆଯିବ ନାହିଁ ବୋଲି ମହାରାଷ୍ଟ୍ରର ନାଶିକ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ହନୁମାନ ଚାଳିଶା ଅଜାନର ୧୫ ମିନିଟ ପୂର୍ବରୁ ଏବଂ ୧୫ ମିନିଟ ପରେ ମଧ୍ୟ ବଜାଯାଇପାରିବ ନାହିଁ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନାଶିକ ପ୍ରଶାସନ କହିଛି।
ନାଶିକ ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି ଯେ, ହନୁମାନ ଚାଳିଶା କିମ୍ବା ଭଜନ ବାଜିବା ପାଇଁ ଅନୁମତି ନେବାକୁ ପଡିବ। ମସଜିଦର ୧୦୦ମିଟର ମଧ୍ୟରେ ଏହାକୁ ଅନୁମତି ଦିଆଯିବ ନାହିଁ। ସମସ୍ତ ଧାର୍ମିକ ସ୍ଥାନକୁ ମେ ୩ ତାରିଖ ଅର୍ଥାତ୍‌ ଇଦ୍‌ ପର୍ଯ୍ୟନ୍ତ ଲାଉଡ ସ୍ପିକର ବ୍ୟବହାର କରିବାକୁ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ୩ ପରେ, ଯଦି କୌଣସି ବ୍ୟକ୍ତି ଏହି ଆଦେଶର ଉଲ୍ଲଂଘନ କରନ୍ତି, ତେବେ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇନ ଶୃଙ୍ଖଳା ବଜାୟ ରଖିବା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଏକ ଅଲ୍ଟିମେଟମ ଦେଇଥିଲେ। ମେ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡ ସ୍ପିକର ହଟାଯିବ କିମ୍ବା ନଚେତ୍‌ ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ଉଚ୍ଚସ୍ବରରେ ପାଟ କରାଯିବ। ଯାହା ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Share