ନସିରୁଦ୍ଦିନଙ୍କ ବିବାଦୀୟ ବୟାନ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । ଫିଲ୍ମ ଏବେ ପର୍ଯ୍ୟନ୍ତ ୨୪୬ କୋଟି ବିଜନେସ କରିଥିବା ବେଳେ, ଏବେ ପର୍ଯ୍ୟନ୍ତ ଫିଲ୍ମକୁ ନେଇ କିଛି ନା କିଛି ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କେହି କେହି ଫିଲ୍ମ ସପକ୍ଷରେ ମତ ଦେଉଥିବା ବେଳେ କେହି କେହି ଏହାର ବିପକ୍ଷରେ ମଧ୍ୟ ମତ ଦେଉଛନ୍ତି । ଏହି କ୍ରମରେ ଏବେ ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତି, ଦର୍ଶନ କୁମାର ଓ ପଲ୍ଲବି ଯୋଶୀଙ୍କ ଷ୍ଟାରର ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ପଳାୟନର କାହାଣୀ କହୁଛି । କଶ୍ମୀର ପଣ୍ଡିତଙ୍କ ସହ ହେଉଥିବା ଅନ୍ୟାୟକୁ ପରଦା ଉପରେ ଦେଖାଯାଇଛି । ଏବେ ଏକ ନାମୀ ୱେବସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ ନସିରୁଦ୍ଦିନ ଶାହା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଏକ ଇଣ୍ଟରଭ୍ୟୁରେ ଅଭିନେତା ଫିଲ୍ମକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଫିଲ୍ମରେ ଦେଖାଯାଇଥିବା କଶ୍ମୀରୀ ହିନ୍ଦୁଙ୍କ ପିଡା କାଳ୍ପନିକ । ଏହାସହ ନସିରୁଦ୍ଦିନ କଶ୍ମୀରରେ ହୋଇଥିବା ନରସଂହାରକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ।
ଏହାକୁ ଦେଖିବା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହାର କଡା ଜବାବ ଦେଇଛନ୍ତି । ବିବେକ ଟୁଇଟ କରି କହିଛନ୍ତି, ମୁଁ ଏଥିରେ ସହମତ । ନିଜ ଦେଶରେ କଶ୍ମୀର ହିନ୍ଦୁମାନଙ୍କର ଜନ ଶୁଣାଣି ବିଷୟରେ କହିଥିବାରୁ ତୁମେ ଗାଳି ଶୁଣିଛ ଓ ଦଣ୍ଡିତ ହୋଇଛ । ସୂଚନାଯୋଗ୍ୟ, କଶ୍ମୀର ଫାଇଲ୍ସର ଅପାର ସଫଳତା ପରେ ଏବେ ବିବେକ ଅଗ୍ନିହୋତ୍ରୀ ‘ଦ ଦିଲ୍ଲୀ ଫାଇଲ୍ସ’ ନିର୍ମାଣ କରିବାକୁ ସୂଚନା ଦେଇଛନ୍ତି । ଏହାସହ ସୋସିଆଲ ମିଡିଆ ମାଧ୍ୟମରେ ‘ ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ପସନ୍ଦ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share