ଆଷ୍ଟରଏଡ୍‌କୁ ନଷ୍ଟ କରିବ ନାସା

ଓ୍ବାଶିଂଟନ, ୭ା୧୧: ପୃଥିବୀ ଉପରେ ଅନେକ ସମୟରେ ବିପଦ ହୋଇ ଉଭା ହେଉଥିବା କ୍ଷୁଦ୍ର ଗ୍ରହପିଣ୍ଡ ବା ଆଷ୍ଟରଏଡ୍‌କୁ ନଷ୍ଟ କରିବାକୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଯୋଜନା କରିଛି। ଏଥିଯୋଗୁ ଆମ ଗ୍ରହକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇବାକୁ ପ୍ରସ୍ତୁତ ହେଉଛି ଡାର୍ଟ ମିଶନ। ହଲିଉଡ୍‌ ଫିଲ୍ମ ‘ଆର୍ମାଗେଡୋନ୍‌’ରେ ନାୟକ ଏକ ଆଷ୍ଟରଏଡ ଭୂପୃଷ୍ଠରେ ମାଡ଼ ହେବା ପୂର୍ବରୁ କିପରି ତାହାକୁ ନଷ୍ଟ କରୁଛନ୍ତି ତାହା ଚିତ୍ରଣ ହୋଇଥିବା ବେଳେ ମନୋରଞ୍ଜନର ଏହି ଦୃଶ୍ୟକୁ ବାସ୍ତବ ରୂପ ନେବାକୁ ନାସା ଉଦ୍ୟମ ଚଳାଇଛି। ଏହି ସ୍ପେସ୍‌ ଏଜେନ୍ସିର ଆସନ୍ତା ୨୩ ତାରିଖରେ ଡବଲ ଆଷ୍ଟରଏଡ୍‌ ରିଡିରେକ୍ସନ୍‌ ଟେଷ୍ଟ(ଡାର୍ଟ)କୁ ମହାକାଶରେ ପରୀକ୍ଷଣ କରିବାକୁ ଯାଉଛି। ପ୍ରସ୍ତୁତି ଅନୁସାରେ ନାସା ଏହି ଗ୍ରହପିଣ୍ଡଗୁଡ଼ିକୁ ମହାକାଶରେ ହିଁ ଧକ୍କା ଦେଇ ନଷ୍ଟ କରିଦେବ। ଏହା ସଫଳ ହେଲେ ଆମ ପୃଥିବୀକୁ ବିପଜ୍ଜନକ ଗ୍ରହପିଣ୍ଡ ମାଡ଼ ହେବା ପୂର୍ବରୁ ରକ୍ଷା କରାଯାଇପାରିବ।
ମିଶନର ଯୋଜନା ଅନୁଯାୟୀ, ନାସା ଏକ ମହାକାଶଯାନକୁ ଘଣ୍ଟା ପ୍ରତି ୨୪ ହଜାର କିଲୋମିଟର ବେଗରେ ଏକ ଆଷ୍ଟରଏଡ୍‌କୁ ଧକ୍କା ଦେବ। ଏହାର ନାମ ପ୍ଲାନେଟାରି ଡିଫେନ୍ସ ରଖାଯାଇଛି। ସ୍ପେସ୍‌ଏକ୍ସର ଫାଲ୍‌କନ୍‌-୯ ରକେଟ୍‌ ଯୋଗେ ନଭେମ୍ବର ୨୩ରେ କାଲିଫର୍ନିଆର ଭାନ୍ଦେନବର୍ଗ ସ୍ପେସ୍‌ ଲଞ୍ଚ୍‌ କମ୍ପ୍ଲେକ୍ସରୁ ଏହି ସ୍ପେସ୍‌କ୍ରାଫ୍ଟକୁ ଲଞ୍ଚ କରାଯିବ। ଏହି ମିଶନ ପାଇଁ ପ୍ରାୟ ୨୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ନାସାର ପ୍ଲାନେଟାରି ଡିଫେନ୍ସ ଅଫିସର ଲିଣ୍ଡଲି ଜନ୍‌ସନ୍‌ଙ୍କ କହିବା ଅନୁସାରେ,ନିକଟ ଭବିଷ୍ୟତରେ ପୃଥିବୀକୁ କ୍ଷତି ପହଞ୍ଚାଇବା ଭଳି କୌଣସି ଗ୍ରହପିଣ୍ଡକୁ ଠାବ କରାଯାଇନାହିଁ। କିନ୍ତୁ ପୃଥିବୀ ନିକଟରେ ମହାକାଶରେ ବହୁ ସଂଖ୍ୟାରେ ଆଷ୍ଟରଏଡ ରହିଛି। ଏହି ଜ୍ଞାନକୌଶଳ ଦ୍ୱାରା ଭବିଷ୍ୟତରେ ପୃଥିବୀ ପ୍ରତି ଆଷ୍ଟରଏଡ୍‌ ବିପଦ ଉଭାହେଲେ ସମୟ ପୂର୍ବରୁ ପଦକ୍ଷେପ ନିଆଯାଇପାରିବ ବୋଲି ସେ କହିଛନ୍ତି।

Share