ପ୍ଲୁଟୋକୁ ପୁଣି ଥରେ ଏକ ପୂର୍ଣ୍ଣ ଗ୍ରହର ମାନ୍ୟତା ଦେବା ପାଇଁ ଲଢ଼େଇ ଚଳାଇଛି ନାସା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ତଥ୍ୟ

ଓ୍ବାଂଶିଟନ,୩ା୫: ସୌରମଣ୍ଡଳର ନବମ ଗ୍ରହ ଭାବେ ପରିଚିତ ‘ପ୍ଲୁଟୋ’କୁ ନେଇ ଦୁଇ ଦଶନ୍ଧି ହେଲା ବିବାଦ ଚାଲିଥିବାବେଳେ ଏବେ ଏହା ନୂଆ ମୋଡ଼ ନେଇଛି। ୨୦୦୬ରେ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସଂଘ (ଆଇଏୟୁ) ପ୍ଲୁଟୋକୁ ପୂର୍ଣ୍ଣ ଗ୍ରହ ଭାବେ ଗ୍ରହଣ ନ କରି ଏହାକୁ ବାମନ ଗ୍ରହ (ଡ୍ବାର୍ଫ ପ୍ଲାନେଟ୍‌) ଶ୍ରେଣୀରେ ଗଣତି କରିଥିଲା। ଏବେ ପ୍ଲୁଟୋକୁ ପୁଣି ଥରେ ଏକ ପୂର୍ଣ୍ଣ ଗ୍ରହର ମାନ୍ୟତା ଦେବା ପାଇଁ ନାସା ପ୍ରଶାସକ ଜେରେଡ ଆଇଜାକମ୍ୟାନ୍‌ ଦୃଢ଼ ଦାବି କରିଛନ୍ତି। ନାସା ପକ୍ଷରୁ ଏ ସମ୍ପର୍କିତ ବୈଜ୍ଞାନିକ ତଥ୍ୟ ଖୁବ୍‌ଶୀଘ୍ର ଆଇଏୟୁ ନିକଟରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଥାଉ କି ୨୦୦୬ ମସିହାରେ ଆଇଏୟୁ ପକ୍ଷରୁ ଗ୍ରହର ଏକ ନୂତନ ସଂଜ୍ଞା ନିର୍ଦ୍ଧାରଣ କରାଯାଇଥିଲା। ଏହି ନିୟମ ଅନୁସାରେ ଏକ ଗ୍ରହ ବା ମହାଜାଗତିକ ବସ୍ତୁ ସୂର୍ଯ୍ୟ ଚାରିପଟେ ପରିକ୍ରମା କରୁଥିବ, ଏହାର ପର୍ଯ୍ୟାପ୍ତ ମାଧ୍ୟାକର୍ଷଣ ଶକ୍ତି ଥିବ, ଯାହା ଫଳରେ ଏହାର ଆକାର ଗୋଲାକାର ହୋଇଥିବ ଏବଂ ନିଜ କକ୍ଷପଥ ସଫା ରଖିଥିବ, ଅର୍ଥାତ୍‌ ତା’ର ପରିକ୍ରମା ପଥରେ ଅନ୍ୟ କୌଣସି ବଡ଼ ମହାଜାଗତିକ ବସ୍ତୁ ନ ଥିବ। ପ୍ଲୁଟୋ ଶେଷ ସର୍ତ୍ତଟି ପୂରଣ କରିବାରେ ବିଫଳ ହୋଇଥିଲା, କାରଣ ଏହା ‘କୁଇପର ବେଲ୍ଟ’ ଅଞ୍ଚଳରେ ରହିଛି। ସେଠାରେ ଅନେକ ବରଫାବୃତ୍ତ ବସ୍ତୁ ଏବଂ କ୍ଷୁଦ୍ର ଗ୍ରହ ରହିଛନ୍ତି। ସେଥିପାଇଁ ପ୍ଲୁଟୋକୁ ‘ବାମନ ଗ୍ରହ’ ଶ୍ରେଣୀଭୁକ୍ତ କରାଗଲା।
ନାସାର ବୈଜ୍ଞାନିକମାନଙ୍କ ମତରେ, ୨୦୧୫ର ‘ନ୍ୟୁ ହୋରାଇଜନ୍ସ’ ମିଶନରୁ ପ୍ରାପ୍ତ ତଥ୍ୟ ପ୍ଲୁଟୋର ଏକ ଭିନ୍ନ
ରୂପ ପ୍ରକାଶ କରିଛି। ତଦନୁଯାୟୀ ପ୍ଲୁଟୋରେ ପର୍ବତମାଳା, ବରଫର ଗ୍ଲାସିୟର ଏବଂ ଏକ ଜଟିଳ ବାୟୁମଣ୍ଡଳ ରହିଛି। ଜେରେଡ୍‌ ଆଇଜାକମ୍ୟାନ୍‌ କହିଛନ୍ତି, ‘ଆମେ ପ୍ଲୁଟୋକୁ ପୁଣି ଗ୍ରହ ମାନ୍ୟତା ଦେବା ସପକ୍ଷରେ ଅଛୁ ଏବଂ ଏହି ଆଲୋଚନାକୁ ବିଶ୍ୱ ମହାକାଶ ବୈଜ୍ଞାନିକମାନଙ୍କ ନିକଟକୁ ନେବାକୁ ଚାହୁଁଛୁ।’ ବୈଜ୍ଞାନିକମାନେ ଯୁକ୍ତି କରୁଛନ୍ତି, ଯଦି ‘କକ୍ଷପଥ ସଫା ରହିବା’ ନିୟମକୁ କଡ଼ାକଡ଼ି ଭାବେ ଦେଖାଯାଏ, ତେବେ ପୃଥିବୀ ଏବଂ ବୃହସ୍ପତି ପାଖରେ ମଧ୍ୟ ଅନେକ ଗ୍ରହାଣୁ (ଆଷ୍ଟେରଏଡ୍ସ) ଅଛନ୍ତି। ତେଣୁ ଏହି ଆଧାରରେ ପ୍ଲୁଟୋକୁ ବାଦ୍‌ଦେବା ଉଚିତ ନୁହେଁ।

ଅନ୍ୟପକ୍ଷରେ ଯଦି ପ୍ଲୁଟୋକୁ ପୁଣି ଗ୍ରହ ମାନ୍ୟତା ଦିଆଯାଏ, ତେବେ ସୌରମଣ୍ଡଳରେ ଗ୍ରହମାନଙ୍କ ସଂଖ୍ୟା ବହୁତ ବଢ଼ିଯାଇପାରେ। କାରଣ ମହାକାଶରେ ପ୍ଲୁଟୋ ଭଳି ପ୍ରାୟ ୧୦୦ରୁ ଅଧିକ ମହାଜାଗତିକ ବସ୍ତୁ ରହିଛନ୍ତି। ସେମାନଙ୍କୁ ମଧ୍ୟ ଗ୍ରହ ମାନ୍ୟତା ଦେବାକୁ ପଡ଼ିବ, ଯାହା ବିଜ୍ଞାନ ପୁସ୍ତକ ଓ ଶିକ୍ଷା ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ ଆଣିବ। ନାସାର ନୂତନ ଗବେଷଣା ରିପୋର୍ଟ ଆଇଏୟୁରେ ଦାଖଲ ହେବା ପରେ ପ୍ଲୁଟୋ ତା’ର ପୁରୁଣା ପରିଚୟ ଫେରିପାଇବ କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily