ସାଇକେଲ ଚଲାଇ ୨୦୦୦ କିଲୋମିଟର ନର୍ମଦା ପରିକ୍ରମାରେ ବାହାରିଲେ ୧୨ ବୃଦ୍ଧ

ଭୋପାଳ,୧୦ା୧୨: ନର୍ମଦା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କର ଦାୟିତ୍ୱ। ଏହି ବାର୍ତ୍ତା ନେଇ ନାସିକ୍‌ରୁ ୧୨ ଜଣ ବୃଦ୍ଧ ସୋମବାର ଓଁକାରେଶ୍ୱରରୁ ମା’ ନର୍ମଦାଙ୍କ ପରିକ୍ରମା ପାଇଁ ୨୦୦୦ କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦଳରେ ଅଧିକାଂଶ ୬୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ସଦସ୍ୟ ସାମିଲ ହୋଇଛନ୍ତି। ନର୍ମଦା ନଦୀକୁ ମଧ୍ୟପ୍ରଦେଶର ଲାଇଫ୍‌ଲାଇନ୍‌ କୁହାଯାଏ।

ଏହି ଯାତ୍ରାରେ ବାହାରିଥିବା ବୟୋଜ୍ୟେଷ୍ଠମାନେ କୁହନ୍ତି, ଦେଶର ପ୍ରମୁଖ ନଦୀଗୁଡ଼ିକ ମଧ୍ୟରେ ନର୍ମଦା ନଦୀର ସ୍ବଚ୍ଛତା ନଷ୍ଟ ହେବାରେ ଲାଗିଛି। ନର୍ମଦା ଅନ୍ୟ ନଦୀ ଠାରୁ ନିର୍ମଳ ରହିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଫଳସ୍ବରୁପ ଆମେ ଏହି ପଦଯାତ୍ରାରେ ବାହାରିଛୁ।

ଏହି ୨୦୦୦ କିଲୋମିଟର ଯାତ୍ରା କରିବା ସମୟରେ ସାଇକେଲ ଯେମିତି ପଙ୍କଚର ନ ହେବ ସେଥିପାଇଁ ଆବଶ୍ୟକୀୟ ଜିନିଷ ପାଖରେ ରଖିଥିବା କହିଛନ୍ତି। ଏହା ବ୍ୟତୀତ ଫୋମ୍‌ର ବିଛଣା, ସାଇଡ୍‌ ବ୍ୟାଗ୍‌ ଏବଂ ପରିଚୟ ପତ୍ର ମଧ୍ୟ ରଖିଛନ୍ତି। ସମସ୍ତଙ୍କ ନିକଟରେ ଗିୟର ସାଇକେଲ ରହିଛି। ବୟସ୍କ ବ୍ୟକ୍ତିମାନେ କୁହନ୍ତି, ଏହି ପଦଯାତ୍ରା ପାଇଁ ପ୍ରାୟ ଦେଢ଼ ମାସ ଧରି ସାଇକେଲରେ ସେମାନେ ଅଭ୍ୟାସ କରୁଥିଲେ। ସମସ୍ତେ ପ୍ରତିଦିନ ୯୦ରୁ ୧୦୦ କିଲୋମିଟର ଯାତ୍ରା କରୁଥିଲେ। ରାସ୍ତାରେ ଯିବା ସମୟରେ ଲୋକଙ୍କୁ ନର୍ମଦା ନଦୀର ସ୍ବଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। କରୋନା ସଂକ୍ରମଣ ସମୟରେ ସାଇକେଲ ଚାଳନା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ବୋଲି ମଧ୍ୟ ସେମାନେ ବାର୍ତ୍ତା ଦେଉଛନ୍ତି।

ସଦସ୍ୟମାନେ କହିଛନ୍ତି, ଏମାନେ ସମସ୍ତେ ନାସିକ ସାଇକେଲିଷ୍ଟ ଫାଉଣ୍ଡେଶନର ସଦସ୍ୟ। ତାଙ୍କ କ୍ଲବରେ ଦୁଇ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି। ଏଥିରେ ଛୋଟ ପିଲା, ଯୁବକ ଏବଂ ବରିଷ୍ଠମାନେ ସାମିଲ ଅଛନ୍ତି। ତାଙ୍କ କ୍ଲବର ପ୍ରତ୍ୟେକ ସଦସ୍ୟ ପ୍ରତିଦିନ ୮୦ରୁ ୯୦ କିଲୋମିଟର ସାଇକେଲ ଚଲାଇଥାନ୍ତି। ତାଙ୍କ କ୍ଲବର ଯୁବ ସଦସ୍ୟ ଓମ୍‌ ମହାଜନ ଶ୍ରୀନଗରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାଇକେଲରେ ୮ ଦିନ ୭ ଘଣ୍ଟା ଯାତ୍ରା କରି ୪୦ ମିନିଟ୍‌ରେ ଶେଷ କରିଥିଲେ।

Share