Categories: ଖେଳ

ଫିଟ୍‌ନେସ୍‌ ପାଇଁ ଏସବୁ ଜିନିଷକୁ ବାଏ ବାଏ କହିଛନ୍ତି କୋହଲି

ନୂଆଦିଲ୍ଲୀ,୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ଅବସରରେ ଦେଶର କିଛି ଫିଟ୍‌ନେସ୍‌କୁ ଧ୍ୟାନ ଦେଉଥିବା ବଛାବଛା ସେଲିବ୍ରିଟିଙ୍କ ସହ କଥା ହୋଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟର ବିରାଟ କୋହଲି ମଧ୍ୟ ମୋଦିଙ୍କ ସହ କଥା ହୋଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ବିରାଟ କୋହଲି, ମହିଳା ଫୁଟବଲର୍‌ ଆଫଶାନ ଆଶିକ, ଦୁଇଥର ପାରାଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝରିଆ, ପୂର୍ବତନ ଖେଳାଳି ତଥା ଅଭିନେତା ମିଲିନ୍ଦ ସୋମନଙ୍କ ସହ କଥା ହୋଇଥିଲେ। ମୋଦି ବିରାଟ କୋହଲିଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ଆପଣଙ୍କ ନାମ ବିରାଟ ଏବଂ କାର୍ଯ୍ୟ ମଧ୍ୟ ବିରାଟ। ଏଥି ସହିତ କୋହଲି କହିଛନ୍ତି, ଯେତେବେଳେ ଆମେ ଖେଳିବା ଆରମ୍ଭ କଲୁ, ଖେଳର ଚାହିଦା ବଦଳି ଯାଇଥିଲା। ଖେଳ ପାଇଁ ଆମର ସିଷ୍ଟମ ଏବଂ ଖାଦ୍ୟପାନୀୟ ଠିକ୍‌ ନ ଥିଲା। ଖେଳ ଯୋଗୁ ମୋତେ ନିଜକୁ ପରିବର୍ତ୍ତନ କରିବାକୁ ପଡିଲା। ପ୍ରଧାନମନ୍ତ୍ରୀ କୋହଲିଙ୍କୁ ପଚାରିଥିଲେ ଯେ ଆପଣଙ୍କ ଫିଟନେସ ଯୋଗୁ ଦିଲ୍ଲୀର ଛୋଲେ ଭଟୁରେର କ୍ଷତି ହୋଇଥିବ? ଏହାର ଉତ୍ତରରେ କୋହଲି କହିଥିଲେ, ମୁଁ ଦିଲ୍ଲୀର ଛୋଲେ ଭଟୁରେକୁ ଆଜିବି ମନେ ରଖିଛି। ପିଲାବେଳେ ଆମେ ସମସ୍ତେ ପ୍ୟାକେଜ ଜଙ୍କ୍‌ଫୁଡ୍‌ ଖାଉଥିଲୁ। ତଥାପି ଏହା ସ୍ବାସ୍ଥ୍ୟ ପାଇଁ ଭଲ ନ ଥିଲା ଏବଂ ଏଥିରେ ପରିବର୍ତ୍ତନ ଆବଶ୍ୟକ ଥିଲା। ସେଥିପାଇଁ ମୁଁ ଜଙ୍କ୍‌ଫୁଡ୍‌ ଖାଇବା ଛାଡି ବ୍ୟାୟାମ ଉପରେ ଧ୍ୟାନ ଦେବା ଆରମ୍ଭ କଲି। ବ୍ୟାୟାମ ଦ୍ୱାରା ହିଁ ଶରୀର ଫିଟ୍‌ ରହିପାରିବ ବୋଲି ସେ କହିଛନ୍ତି।

Share