Posted inଜାତୀୟ

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି; ସହଯୋଗୀଙ୍କ ଭରସାରେ ତୃତୀୟ ପାଳି

ନୂଆଦିଲ୍ଲୀ,୧୦ା୬:  ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତା ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରବିବାର ସନ୍ଧ୍ୟାରେ ମୋଦି ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୧ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ ଭାଜପାରୁ ୬୧ ଜଣ ଶପଥ ନେଇଥିବାବେଳେ ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକରୁ ୧୧ ଜଣଙ୍କୁ ସୁଯୋଗ ମିଳିଛି।

୫ ବଡ଼ ସହଯୋଗୀ ଦଳକୁ ଗୋଟିଏ ଲେଖାଏ କ୍ୟାବିନେଟ ମନ୍ତ୍ରୀ ପଦ ଦିଆଯାଇଛି। ଏଥର ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ପୂର୍ବ କ୍ୟାବିନେଟର ଅନେକ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ପୁନର୍ବାର ସୁଯୋଗ ଦେଇଥିବାବେଳେ ଉଭୟ ଅଭିଜ୍ଞ ଓ ଯୁବଙ୍କୁ ଗୁରୁତ୍ୱ ଦେଇ ସନ୍ତୁଳନ ବଜାୟ ରଖିବାକୁ ପ୍ରୟାସ କରିଛନ୍ତି। ସୋମବାର ସନ୍ଧ୍ୟା ୫ଟାରେ ମୋଦି ସରକାରଙ୍କ ତୃତୀୟ ପାଳି କ୍ୟାବିନେଟର ପ୍ରଥମ ବୈଠକ ବସିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଶପଥ ନେଇ କ୍ଷମତା ରାଜନୀତିରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମକକ୍ଷ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରବିବାର ସନ୍ଧ୍ୟା ୭ଟା ୧୫ରେ ପ୍ରଥମେ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ। ମୋଦିଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ କ୍ରମାନ୍ବୟରେ ଶପଥ ନେଇଥିଲେ। ପଞ୍ଚମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶପଥ ଗ୍ରହଣ କରିଥିଲେ। ତେଣୁ ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଭାଜପା ଅଧ୍ୟକ୍ଷ ପଦ ଦିଆଯାଇପାରେ ବୋଲି କୁହାଯାଉଛି।

ନଡ୍ଡାଙ୍କ ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ନିର୍ମଳା ସୀତାରାମନ୍‌, ଏସ୍‌. ଜୟଶଙ୍କର, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଓ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ (ଜେଡିଏସ୍‌) ଶପଥ ଗ୍ରହଣ କରିଥିଲେ। ମୋଦି ତାଙ୍କ ପୂର୍ବ କ୍ୟାବିନେଟ ସହଯୋଗୀ ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ସୁଯୋଗ ଦେଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନୀ ଆଓ୍ବାମ୍‌ ମୋର୍ଚ୍ଚା ଅଧ୍ୟକ୍ଷ ଜିତନରାମ ମାଞ୍ଝି ଏବଂ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏମ୍‌ପି ରାଜୀବ ରଞ୍ଜନ ସିଂ ଓରଫ୍‌ ଲଲନ୍‌ ସିଂଙ୍କୁ ମୋଦିଙ୍କ ନୂଆ କ୍ୟାବିନେଟରେ ସୁଯୋଗ ମିଳିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ସହ ପୂର୍ବ କ୍ୟାବିନେଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ପ୍ରହ୍ଲାଦ ଜୋଷୀ ଏବଂ ଡ. ବୀରେନ୍ଦ୍ର କୁମାର, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର କେ. ରାମ ମୋହନ ନାଇଡୁ ମଧ୍ୟ ଶପଥ ନେଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ୍‌ ୫ ବର୍ଷର ବ୍ୟବଧାନ ପରେ ପୁଣି କ୍ୟାବିନେଟକୁ ଫେରିଛନ୍ତି। ଜୁଏଲଙ୍କ ପରେ ଗିରିରାଜ ସିଂ ଓ ଅଶ୍ୱିନୀ ବୈଷ୍ଣବ ଶପଥ ନେଇଥିଲେ। ଓଡ଼ିଶାରୁ ୨୦ ଭାଜପା ଏମ୍‌ପି ନିର୍ବାଚିତ ହୋଇଥିବାବେଳେ ଧର୍ମେନ୍ଦ୍ର, ଜୁଏଲ୍‌ ଓ ଅଶ୍ୱିନୀଙ୍କୁ ମିଶାଇ ମାତ୍ର ୩ ଜଣଙ୍କୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂ ଶେଖାଓ୍ବତ ନିଜ ନିଜ ମନ୍ତ୍ରୀପଦ ବଜାୟ ରଖିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଥିବା ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। କ୍ୟାବିନେଟରେ ସାମିଲ ହୋଇଥିବା ଭାଜପାର ଅନ୍ୟ ସଦସ୍ୟମାନେ ହେଲେ ହରଦୀପ ସିଂ ପୁରୀ, ଡ. ମନସୁଖ ମାଣ୍ଡବ୍ୟ ଏବଂ ଜି. କିଷନ ରେଡ୍ଡୀ।

ବିହାର ଏନ୍‌ଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଲୋକ ଜନଶକ୍ତି ପାର୍ଟି ରାମବିଳାସ ମୁଖ୍ୟ ଚିରାଗ ପାଶ୍ୱାନ ମଧ୍ୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ହାତେଇବାରେ ସଫଳ ହୋଇଛନ୍ତି। ସେହିପରି ଗୁଜରାଟ ଭାଜପା ସଭାପତି ସି.ଆର୍‌. ପାଟିଲଙ୍କୁ ମଧ୍ୟ ଏଥର କ୍ୟାବିନେଟରେ ସାମିଲ କରାଯାଇଛି।

ଅନ୍ୟପକ୍ଷେ ରାଓ ଇନ୍ଦରଜିତ ସିଂ, ଡ. ଜିତେନ୍ଦ୍ର ସିଂ, ଅର୍ଜୁନରାମ ମେଘଓ୍ବାଲ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ପଦ ବଜାୟ ରଖିଥିବାବେଳେ ଏହି ପାହ୍ୟାରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ପ୍ରତାପରାଓ ଗଣପତରାଓ ଯାଦବ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ଅଧ୍ୟକ୍ଷ ଜୟନ୍ତ ଚୌଧରୀ। ଏନ୍‌ଡିଏର ସର୍ବକନିଷ୍ଠ ସହଯୋଗୀ ଜାତୀୟତାଦାବୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରୁ କେବଳ ପ୍ରଫୁଲ ପଟେଲ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଯଚାଯାଇଥିଲା। କିନ୍ତୁ ପୂର୍ବରୁ ମନମୋହନ ସିଂଙ୍କ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ କ୍ୟାବିନେଟ ମନ୍ତ୍ରୀ ହୋଇସାରିଥିବାରୁ ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଉପରାଷ୍ଟ୍ରପତି ଜଗଦୀପ ଧନକର, ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଏବଂ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ସାମିଲ ହୋଇଥିଲେ। ସୁପରଷ୍ଟାର ରଜନୀକାନ୍ତ, ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଓ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଏଥିରେ ଯୋଗଦେଇଥିଲେ। କିନ୍ତୁ ଅନେକ ବିରୋଧୀ ନେତା ଏହି ସମାରୋହରେ ସାମିଲ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

୨୦୨୬ରେ ଏହି ୫ଟି ଚାକିରିର ବଢିଯିବ ଡିମାଣ୍ଡ, ମିଳିବ ମୋଟା ଅଙ୍କର ଦରମା!

ନୂଆଦିଲ୍ଲୀ,୨୦।୧୨: ଯଦି ଆପଣ ଆଗାମୀ ବର୍ଷରେ ଆପଣଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇବାକୁ ଚାହାଁନ୍ତି, ତେବେ 2026 ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ।...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri