Categories: ଜାତୀୟ

ପିଏମ୍‌ କେୟାର୍ସ ପାଣ୍ଠିକୁ ୨.୨୫ ଲକ୍ଷ ଦାନ କରିଛନ୍ତି ମୋଦି

ନୂଆଦିଲ୍ଲୀ,୪ା୯:କରୋନା ମହାମାରୀ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୭ରେ ପିଏମ୍‌ କେୟାର୍ସ ପାଣ୍ଠି ଘୋଷଣା କରିଥିଲେ। ଏହାର ପ୍ରଥମ ଅଡିଟ୍‌ ରିପୋର୍ଟ ବୁଧବାର ସର୍ବସାଧାରଣରେ ପ୍ରକାଶ ପାଇଥିଲା। ପାଣ୍ଠି ଗଠନ ହେବାର ପ୍ରଥମ ୫ ଦିନ ମଧ୍ୟରେ ୩,୦୭୬ କୋଟି ଟଙ୍କା ଦାନ ମିଳିଥିଲା। ପ୍ରଧାନମନ୍ତ୍ରୀ ଉକ୍ତ ପାଣ୍ଠିକୁ ୨.୨୫ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି। ପୂର୍ବରୁ କନ୍ୟାଶିଶୁ ଶିକ୍ଷା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସ୍ବଚ୍ଛ ଗଙ୍ଗା ମିଶନ ପର୍ଯ୍ୟନ୍ତ ବିଭିନ୍ନ ପାଣ୍ଠିକୁ ମୋଦି ଅତୀତରେ ଦାନ କରିବା ସହ ଅବହେଳିତ ବର୍ଗଙ୍କ କଲ୍ୟାଣ ଲାଗି ସହାୟତା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଦିଙ୍କର ମୋଟ ଦାନ ପରିମାଣ ୧୦୩ କୋଟି ଟଙ୍କାରୁ ଅଧିକ। କୁମ୍ଭମେଳାରେ ପରିମଳ କର୍ମଚାରୀମାନଙ୍କ କଲ୍ୟାଣ ଲାଗି ମୋଦି ନିଜ ବ୍ୟକ୍ତଗତ ସଞ୍ଚୟରୁ ୨୧ ଲକ୍ଷ ଟଙ୍କା ଦାନ କରିଥିଲେ। ଦକ୍ଷିଣ କୋରିଆରୁ ପାଇଥିବା ସିଓଲ ଶାନ୍ତି ପୁରସ୍କାର ବାବଦରେ ୧.୩ କୋଟି ଟଙ୍କାକୁ ସେ ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ଦେଇଥିଲେ। ତାଙ୍କୁ ମିଳିଥିବା ସମସ୍ତ ସ୍ମରଣୀୟ ସାମଗ୍ରୀର ନିଲାମରୁ ମିଳିଥିବା ୩.୪୦ କୋଟି ଟଙ୍କାକୁ ସେ ସ୍ବଚ୍ଛ ଗଙ୍ଗା ମିଶନକୁ ଦାନ କରିଥିଲେ। ୨୦୧୫ ପର୍ଯ୍ୟନ୍ତ ପାଇଥିବା ଉପହାର ନିଲାମରୁ ମିଳିଥିବା ୮.୩୫ କୋଟି ଟଙ୍କାକୁ ସେ ନମାମି ଗଙ୍ଗେ ମିଶନ ପାଇଁ ପ୍ରଦାନ କରିଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୮୯.୯୬ କୋଟି ଟଙ୍କା କନ୍ୟା କେଲାଭାନି ଫଣ୍ଡକୁ ଦାନ କରିଥିଲେ।

Share