କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ

ଭୁବନେଶ୍ୱର, ୨୦।୧୦(ଅସମାପିକା ସାହୁ):ଓଡ଼ିଶାାରେ ହେବ ନାର୍କୋ ଟେଷ୍ଟ। ଫଳରେ ଅଭିଯୁକ୍ତ କିମ୍ବା ଅପରାଧୀର ନାର୍କୋ ଟେଷ୍ଟ ତଥା ମିଛଧରା ପରୀକ୍ଷା ପାଇଁ ଆଉ ମୁମ୍ବାଇ, ପୁଣେ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହିଁ ନାର୍କୋ ଆନାଲିସିସ୍‌ ଟେଷ୍ଟ କରାଯିବ। ଆସନ୍ତା ମାସରୁ ଏହି ଟେଷ୍ଟ ଆରମ୍ଭ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ଅପରେଶନ ଥିଏଟର(ଓଟି)ରେ ନାର୍କୋ ଟେଷ୍ଟ କରାଯିବ। ଏଥିଲାଗି ରାଜ୍ୟ ଫରେନ୍‌ସିକ୍‌ ଲାବ୍‌(ଏସ୍‌ଏଫ୍‌ଏଲ୍‌)କୁ ଆବଶ୍ୟକ ଉପକରଣ ଆସିସାରିଛି। ଏ ନେଇ ବୁଧବାର ଏସ୍‌ଏଫ୍‌ଏଲ୍‌ର ଅଧିକାରୀ ଓ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନେଇ ଏକ ବୈଠକ ହୋଇଥିଲା। ବୈଠକ ପରେ ନାର୍କୋ ଟେଷ୍ଟ ସଂକ୍ରାନ୍ତରେ ସୂଚନା ଦେଇ ଡା. ସାହୁ କହିଲେ, ଏଥିପାଇଁ ଏବେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କର ପ୍ରଶିକ୍ଷଣ ଚାଲିଛି। ହସ୍ପିଟାଲ ଓଟିରେ ନିଶା ଇଞ୍ଜେକ୍ସନ ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବ। ଯେହେତୁ ଏହି ଇଞ୍ଜେକ୍ସନର ପାର୍ଶ୍ୱ ପ୍ରତିକ୍ରିୟା ରହିଛି, ସେଥିପାଇଁ ଟ୍ରେନିଂ ଦିଆଯାଉଛି। ଆସନ୍ତା ମାସରୁ ହସ୍ପିଟାଲରେ ଟେଷ୍ଟ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ହତ୍ୟା, ଗଣବଳାତ୍କାର, ଦଙ୍ଗା ଭଳି ବହୁ ସଙ୍ଗିନ ଅପରାଧ ମାମଲାରେ ଅଭିଯୁକ୍ତଙ୍କଠାରୁ ସତ ବାହାର କରିବା ପାଇଁ ସେମାନଙ୍କର ନାର୍କୋ ଟେଷ୍ଟ କରାଯାଇଥାଏ। ଏହି ଟେଷ୍ଟ ପାଇଁ ଉଭୟ ଅଭିଯୁକ୍ତ ଓ କୋର୍ଟଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ଏହାର ରିପୋର୍ଟକୁ ତଦନ୍ତକାରୀ ଅଧିକାରୀ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରିପାରିବେ ନାହିଁ। କେବଳ ତଦନ୍ତରେ ସହଯୋଗ ବା ସତ କ’ଣ ତାହା ଜାଣିବା ପାଇଁ ଅଭିଯୁକ୍ତର ଏଭଳି ଟେଷ୍ଟ କରାଯାଇଥାଏ।