Categories: ଜାତୀୟ

୨୨ରେ ନାରାୟଣସ୍ବାମୀଙ୍କ ଶକ୍ତିପରୀକ୍ଷା

ପୁଡୁଚେରୀ,୧୯ା୨(ପି.ଟି.)::ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତେଲଙ୍ଗାନା ଗୁରୁବାର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କୁ ଆସନ୍ତା ୨୨ ତାରିଖରେ ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ସୋମବାର ଓ ମଙ୍ଗଳବାର ଜଣେ ଲେଖାଏ ଏମ୍‌ଏଲ୍‌ଏ ଇସ୍ତଫା ଦେବା ପରେ ୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୮କୁ ଖସିଛି। ମ୍ୟାଜିକ୍‌ ନମ୍ବର ୧୫ ହୋଇଥିବାବେଳେ କଂଗ୍ରେସ-ଡିଏମ୍‌କେ ବିଧାୟକଙ୍କ ସଂଖ୍ୟା ୧୪ ରହିଛି। ଏହାସହ କଂଗ୍ରେସ ନେତୃତ୍ୱାଧୀନ ପୁଡୁଚେରୀ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ଅନ୍ୟପକ୍ଷେ ଏଆଇଏଡିଏମ୍‌କେ-ଭାଜପା ମେଣ୍ଟ ପାଖରେ ମଧ୍ୟ ୧୪ ବିଧାୟକ ରହିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସରକାରଙ୍କୁ ବରଖାସ୍ତ କରାଯାଉ ବୋଲି ବିରୋଧୀ ମେଣ୍ଟ ଦାବି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଥିବା କହିଛନ୍ତି। ମଙ୍ଗଳବାର କିରଣ ବେଦୀଙ୍କୁ ଉପରାଜ୍ୟପାଳ ପଦରୁ ହଟାଇ ତାମିଲିସାଇଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ନାରାୟଣସ୍ବାମୀଙ୍କ ସହ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିଲେ ସେ ପ୍ରମାଣ ଦିଅନ୍ତୁ ବୋଲି ତାମିଲିସାଇ ନିର୍ଦ୍ଦେଶ ଦେଇଛନ୍ତି।

Share