Categories: ଜାତୀୟ

ନାରାୟଣ ରାଣେଙ୍କୁ ଗିରଫ ନିର୍ଦ୍ଦେଶ…

ନାସିକ,୨୪।୮: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ନାସିକ ପୋଲିସର ଅପରାଧ ଶାଖା ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ନାରାୟଣ ରାଣେ ଉଦ୍ଧବଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଶିବସେନା ପକ୍ଷରୁ ଏନେଇ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ନାସିକ ପୋଲିସର ଅପରାଧ ଶାଖା ଚିପଲୁନ ଯାଇ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନାରାୟଣ ରାଣେଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବା ଦିନଠାରୁ ଶିବସେନା ତାଙ୍କ ଉପରେ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଛି। ଏହାପୂର୍ବରୁ ମୁମ୍ବାଇ ପୋଲିସ ଜନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପ୍ରାୟ ୨୨ ଟି ମାମଲା ରୁଜୁ କରିଥିଲା। ସୋମବାର ଜନ ଆଶୀର୍ବାଦ ଯାତ୍ରା କୋକଡ଼ର ମହାଡ ଅଞ୍ଚଳରେ ପହଞ୍ଚିଥିଲା। ଏଠାରେ ନାରାୟଣ ରାଣେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ  ଦେଇଥିଲେ। ଏହି ଅଞ୍ଚଳକୁ ଶିବସେନାର ଗଡ଼ ଭାବେ ବିବେଚନା କରାଯାଇଥାଏ।
ଏହି ଘଟଣା ପରେ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ଟୁଇଟ କରି କହିଛନ୍ତି ଯେ ଯୁବ ସେନା ସଦସ୍ୟମାନଙ୍କୁ ଆମ ଜୁହୁ ଘର ବାହାରେ ଏକାଠି ହେବାକୁ କୁହାଯାଇଛି। ସିଂହ ଗୁମ୍ଫାକୁ ଯିବାକୁ ସାହସ କର ନାହିଁ! ଏହାର ଫଳାଫଳ ଭଲ ହେବ ନାହିଁ ବୋଲି ନୀତେଶ’ କହିଛନ୍ତି।
ପାଲଘର ଜିଲାର ଓ୍ବସଇ ଏବଂ ଓ୍ବିରାର ଅଞ୍ଚଳରେ ନାରାୟଣ ରାଣେଙ୍କ ’ଜନ ଆଶୀର୍ବାଦ ଯାତ୍ରାର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଶନିବାର ଦିନ ଏହି ଯାତ୍ରାର ଆୟୋଜନ କରାଯାଇଛି ଏବଂ ମାଣିକପୁର, ତୁଲିଞ୍ଜ, କାଶିମିରା, ଓ୍ବାଲିବ, ଓ୍ବସଇ ଏବଂ ଓ୍ବିରାର ପୋଲିସ ଷ୍ଟେସନରେ କରୋନା ମାର୍ଗଦର୍ଶିକା ଏବଂ କଟକଣା ଉଲ୍ଲଂଘନ ମାମଲା ରୁଜୁ କରାଯାଇଛି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନ୍ତର୍ଗତ ମହାମାରୀ ରୋଗ ଆଇନ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି।

 

Share