Categories: ଜାତୀୟ

ନନ୍ଦିନୀଙ୍କୁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ୨୦୨୩ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ଜିତିଛନ୍ତି। ଦିଲ୍ଲୀର ଶେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍‌ ହୋଇଥିବାବେଳେ ମଣିପୁରର ଥୋଉନାଓଜାମ୍‌ ଷ୍ଟ୍ରେଲା ଲୁଓ୍ବାଙ୍ଗ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ମଣିପୁର ଇମ୍ଫାଲର ଇନ୍‌ଡୋର ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶନିବାର ରାତିରେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ବିଜ୍‌ନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଥିବା ନନ୍ଦିନୀଙ୍କର ବିଭିନ୍ନ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାରେ ଉତ୍ସର୍ଗୀକୃତ ଉଦ୍ୟମ ପାଇଁ ସେ ମିସ୍‌ ଇଣ୍ଡିଆ ମୁକୁଟ ଜିତିବାରେ ସଫଳ ହୋଇଛନ୍ତି। ଗତବର୍ଷର ମିସ୍‌ ଇଣ୍ଡିଆ ସିନି ସେଟ୍ଟୀ ନନ୍ଦିନୀଙ୍କୁ ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। ଏବେ ନନ୍ଦିନୀ ୭୧ତମ ମିସ୍‌ ୱାଲର୍‌ଡ ପାଜେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବେ। ତାଙ୍କୁ ୧୦ ବର୍ଷ ହୋଇଥିବାବେଳେ ସେ ମିସ୍‌ ଇଣ୍ଡିଆ ପାଇଁ ସ୍ବପ୍ନ ଦେଖିଥିଲେ। ସେ ସେଣ୍ଟ ପଉଲ୍ସ ସିନିୟର ସେକେଣ୍ଡାରୀ ସ୍କୁଲରୁ ପାଠପଢ଼ା ସାରି ଲାଲା ଲଜପତ୍‌ ରାୟ କଲେଜ୍‌ରେ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ କରିଛନ୍ତି। ରତନ ଟାଟା ତାଙ୍କ ଜୀବନର ବଡ଼ ଇନ୍‌ଫ୍ଲୁଏନ୍ସର ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ତାଙ୍କର ଫେମିନା ମିସ୍‌ ଇଣ୍ଡିଆ ପାଜେଣ୍ଟ ଯାତ୍ରାରେ ୨୦୦୦ର ମିସ୍‌ ୱାଲର୍‌ଡ ପ୍ରିୟଙ୍କା ଚୋପ୍ରା ବଡ଼ ପ୍ରେରଣା ବୋଲି ସେ କହିଛନ୍ତି।

Share