ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ପୁରୀ ଅଫିସ,୧୨ା୭: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ରତ୍ନବେଦିରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନିଠାକୁର। କୋଭିଡ୍‌ ମହାମାରୀ ଯୋଗୁ ଶ୍ରଦ୍ଧାଳୁମାନେ ରଥ ଟାଣିବାରୁ ଚଳିତବର୍ଷ ବଞ୍ଚିତ ହୋଇଥିବା ବେଳେ ସେବାୟତମାନେ ତିନିଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଉଛନ୍ତି। ସମସ୍ତ ନୀତିକାନ୍ତ ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିବା ବେଳେ ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ସେବାୟତମାନେ ଟାଣିଥିଲେ। ବର୍ତ୍ତମାନ କାଳିଆ ସାଆନ୍ତଙ୍କ ରଥ ଗହଳି ଲଗାଇ ବଡ଼ଦାଣ୍ଡରେ ଗଡ଼ିଚାଲିଛି। ଘଣ୍ଟଘଣ୍ଟାରେ ବଡ଼ଦାଣ୍ଡ କମ୍ପି ଉଠୁଛି। କାଳିଆର ରଥକୁ ସିନା ଶ୍ରଦ୍ଧାଳୁମାନେ ଟାଣି ପାରିଲେନି ମାତ୍ର ଘର ରହି ମହାବାହୁଙ୍କୁ ଦର୍ଶନ କରୁଛନ୍ତି ବିଶ୍ୱର ଅଗଣିତ ଦର୍ଶକ।