ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍ ପ୍ରଣାଳୀ (ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍)ରେ ଅଟକି ରହିଥିଲା ଭାରତର ୨ ଏଲ୍ପିଜି ବୋଝେଇ ଜାହାଜ ‘ନନ୍ଦାଦେବୀ’ ଓ ‘ଶିବାଲିକ୍’। ଭୀଷଣ ଯୁଦ୍ଧ ଏବଂ ପ୍ରଚଣ୍ଡ ବୋମାବର୍ଷଣ ଭିତରେ ସଂକୀର୍ଣ୍ଣ ସମୁଦ୍ର ପଥରେ ଅଟକି ରହିଥିବା ୨ ଜାହାଜର ନୌ ଅଧିକାରୀ ଓ କର୍ମଚାରୀଙ୍କ ମାନସିକ ଅବସ୍ଥା କ’ଣ ଥିବ ତାହା ସହଜରେ ଅନୁମେୟ। ତେବେ ସକଳ ପ୍ରତିକୂଳ ପରିସ୍ଥିତି ସହ ଜୁଝି ଭାରତ ଫେରି ଆସିଛି ଗ୍ୟାସ୍ ବୋଝେଇ ଜାହାଜ ନନ୍ଦାଦେବୀ ଓ ଶିବାଲିକ୍। ଭାରତ ପହଞ୍ଚତ୍ବା ପରେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ କ୍ୟାପ୍ଟେନ ଧୀରଜ ଅଗ୍ରୱାଲ। ସେ ଥିଲେ ‘ନନ୍ଦାଦେବୀ’ ଜାହାଜର କ୍ୟାପ୍ଟେନ। ତାଙ୍କ ଘର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ। ତାଙ୍କର ଅସୀମ ଧୈର୍ଯ୍ୟ, ସାହସ ଏବଂ କର୍ତ୍ତବ୍ୟନିଷ୍ଠା ତାଙ୍କୁ ଲକ୍ଷ୍ୟ ପଥରେ ପହଞ୍ଚାଇଛି । ସୁରକ୍ଷିତ ଭାବେ ପୁଅ ଓ ଜାହାଜ ଭାରତରେ ପହଞ୍ଚତ୍ ଥିବାରୁ ଧୀରଜଙ୍କ ଘରେ ଏବେ ଖୁସିର ମାହୋଲ।
ମଧ୍ୟପ୍ରାଚ୍ୟର ଯୁଦ୍ଧ ଭିତରେ ଇରାନ୍ ଯେତେବେଳେ ହର୍ମୁଜ୍ ପ୍ରଣାଳୀରେ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଲା ଅନେକ ଦେଶର ଜାହାଜ ସେଠାରେ ଅଟକି ରହିଥିଲା। ସେଥିରେ ଥିଲା ଭାରତର ‘ନନ୍ଦାଦେବୀ’ ଓ ‘ଶିବାଲିକ୍’। ମଧ୍ୟପ୍ରାଚ୍ୟର ଆକାଶ ବୋମା ଓ ମିଶାଇଲ ମାଡ଼ରେ ଭୟାନକ ହୋଇଉଠୁଥିଲା। ଗଭୀର ସମୁଦ୍ର ଜଳରାଶିରେ ଗ୍ୟାସ୍ ବୋଝେଇ ଜାହାଜ ଭିତରେ ସମସ୍ତ କର୍ମଚାରୀ ଏବଂ ସହଯୋଗୀଙ୍କୁ ନେଇ ଅସୀମ ଧୈର୍ଯ୍ୟ ଓ ସାହସ ଦେଖାଇଥିଲେ ଧୀରଜ। ‘ନନ୍ଦାଦେବୀ’କୁ ଭାରତ ଅଭିମୁଖେ ଆଣିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପ୍ରାୟ ୧୨ ଦିନ ପୂର୍ବରୁ ଗ୍ୟାସ୍ ବୋଝେଇ ଜାହାଜ ‘ନନ୍ଦାଦେବୀ’ ୟୁଏଇର ଏକ ବନ୍ଦରରୁ ବାହାରିଥିଲା। ତେବେ ମଧ୍ୟପ୍ରାଚ୍ୟରେ ଇରାନ୍-ଇସ୍ରାଏଲ-ଆମେରିକା ଯୁଦ୍ଧ କାରଣରୁ ଷ୍ଟ୍ରେଟ୍ ଅଫ୍ ହମୁର୍ର୍ଜ୍ରେ ଜାହାଜ ଚଳାଚଳ ଉପରେ ଇରାନ୍ ପ୍ରତିବନ୍ଧ ଲଗାଇବା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ମାତ୍ର ଭାରତର କୂଟନୈତିିକ ସଫଳତା ପରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରୁ ୨ ଜାହାଜ ଭାରତ ଅଭିମୁଖେ ଆସିଥିଲା। ‘ନନ୍ଦାଦେବୀ’ ମଙ୍ଗଳବାର ଭାରତର ଗୁଜରାଟ ଉପକୂଳରେ ପହଞ୍ଚତ୍ବା ପରେ ସାରା ଦେଶରେ ଏବେ ଖୁସିର ଲହରି ଖେଳିଯାଇଛି। ‘ନନ୍ଦାଦେବୀ’ର ସଫଳ ଯାତ୍ରା ଏବଂ ଏଭଳି ସଙ୍କଟମୟ ସମୟରେ ଆଭ୍ୟନ୍ତରୀଣ ପରିଚାଳନା କରିବାରେ କ୍ୟାପ୍ଟେନ ଧୀରଜଙ୍କ ଭୂମିକାକୁ ପ୍ରଶଂସା କରାଯାଉଛି। ତାଙ୍କ ପାଖକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ା ଏଭଳି ସଫଳତାରେ ପରିବାର ଲୋକେ ଖୁସି। ଧୀରଜ ହେଉଛନ୍ତି କଣ୍ଟାବାଞ୍ଜିର ସ୍ବର୍ଗତ ରମେଶ ଛାପଡ଼ିଆ ଏବଂ ସନ୍ତୋଷ ଦେବୀଙ୍କ ପୁଅ। କଣ୍ଟାବାଞ୍ଜିରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ମୁମ୍ବାଇସ୍ଥିତ ମେରିଟାଇମ୍ ଟ୍ରେନିଂ ଇନ୍ଷ୍ଟଚ୍ୟୁଟରୁ ସେ ନୌବାହନ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ୨୦୧୭ରୁ ସେ ଦେଶର ନୌବାହନ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ଏବେ ସେ ଶିପିଂ କର୍ପୋରେଶନ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ଅଛନ୍ତି। ଏଭଳି କାର୍ଯ୍ୟରେ ତାଙ୍କ ମା’ ଓ ସ୍ତ୍ରୀ ଗର୍ବିତ ବୋଲି କହିଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ଭେଟିବେ ବୋଲି ଜାଣିବା ପରେ ବେଶ୍ ଖୁସି ବୋଲି ତାଙ୍କ ମା’ ସନ୍ତୋଷ ଦେବୀ ଗଣମାଧ୍ୟମକୁ କହିଛନ୍ତି।
Dharitri – Odisha’s No.1 Odia Daily

