ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪ ଦିନ ପୂର୍ବରୁ ଗୋଆର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ସେଠାରେ ସ୍ଥାନୀୟ କଳାକାରଙ୍କ ସହ ସଙ୍ଗୀତ ଓ ନୃତ୍ୟରେ ସାମିଲ ହେବା ସହ ପାରମ୍ପରିକ ବାଦ୍ୟଯନ୍ତ୍ର ‘ଶମେଲ’ ମଧ୍ୟ ବଜାଇଥିଲେ।

ଏହି କାର୍ଯ୍ୟକ୍ରମରେ ଥିଏଟର ପ୍ରତି ନିଜର ଭଲପାଇବା ବିଷୟରେ କଥା ହେବା ସମୟରେ ନାନା ପାଟେକର ଜୀବନ ଓ ମୃତ୍ୟୁକୁ ନେଇ ଏପରି କିଛି କଥା କହିଥିଲେ, ଯାହା ଏବେ ତାଙ୍କ ମୃତ୍ୟୁ ପରେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଅକ୍ଟୋବର ୪ ତାରିଖରେ ଗୋଆର ଡୋନା ପାଉଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାନା ପାଟେକର ପହଞ୍ଚିଥିଲେ । ସେଠାରେ ସେ ସ୍ଥାନୀୟ କଳାକାରଙ୍କୁ ଭେଟିବା ସହ ମଞ୍ଚରେ ସେମାନଙ୍କ ସହ ମଧ୍ୟ ନଜର ଆସିଥିଲେ। ନାନା ମରାଠୀ ଭାଷାରେ ଲୋକଙ୍କୁ ସମ୍ବୋଧିତ କରି ନିଜ ଥିଏଟର ଜୀବନର ପ୍ରାରମ୍ଭିକ ଦିନଗୁଡ଼ିକୁ ମନେ ପକାଇଥିଲେ।

ସେ କହିଥିଲେ, ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତାରେ ମିଳିଥିବା ପରିଚୟ ତାଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହ ଦେଇଥିଲା। ଥିଏଟର ସହ ନିଜର ଦୀର୍ଘ ସମ୍ପର୍କ ବିଷୟରେ କହି ସେ କହିଥିଲେ, “ଏବେ ମୋତେ ଆଉ କିଛି କରିବାର ନାହିଁ। କେବଳ ଏହି କାମ ହିଁ କରିଚାଲିବାକୁ ଚାହୁଁଛି।” ଏହି କାର୍ଯ୍ୟକ୍ରମରେ ନାନା ପାଟେକର ଜୀବନର ଅନିଶ୍ଚିତତା ନେଇ ମଧ୍ୟ କଥା କହିଥିଲେ। ସେ କହିଥିଲେ, “ଆମ ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡ଼ିବ। ମୁଁ ଜାଣିନି, ମୁଁ କାଲି ଏଠାରେ ଥିବି କି ନାହିଁ। ପ୍ରତ୍ୟେକଙ୍କ ଜୀବନରେ ସେହି ସମୟ ଆସେ।”

ଏହା ସହ ସେ ନିଜକୁ ନିଜେ ପ୍ରଶ୍ନ କରିବା ବିଷୟରେ ମଧ୍ୟ କହିଥିଲେ ଜୀବନରେ ସେ ଯାହା କରିବାକୁ ଚାହୁଁଥିଲେ, ସେସବୁ କରିପାରିଲେ କି ନାହିଁ? ଏବଂ ସେହି ସମୟ ଆସିବା ପୂର୍ବରୁ ନିଜ ତରଫରୁ ସମସ୍ତ ପ୍ରୟାସ କରିଥିଲେ କି ନାହିଁ? ନାନାଙ୍କ ଏହି କଥାର ଭିଡିଓ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ହେଉଛି।

କହିରଖୁଛୁ କି, ଅକ୍ଟୋବର ୮ ତାରିଖ ସକାଳେ ଗୋଆସ୍ଥିତ ଡୋନା ପାଉଲା ଘରେ ନାନା ପାଟେକର ଅଚେତ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।ମଣିପାଲ ହସ୍ପିଟାଲର ଡାକ୍ତର ଶେଖର ସାଲକରଙ୍କ ଅନୁସାରେ, ନାନାଙ୍କୁ ପ୍ରାୟ ୪୫ ମିନିଟ୍ ଧରି CPR ଦିଆଯାଇଥିଲା। ହେଲେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ସକାଳ ପ୍ରାୟ ୫ଟା ୨୦ ମିନିଟ୍‌ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

 

Dharitri – Odisha’s No.1 Odia Daily

Share