ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ସୋମବାର କଂସ କଳାକାର ଚୟନ ପ୍ରକ୍ରିୟା ରହିଥିଲା। ୪୪ଜଣ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ୩୬ଜଣ କଳାକାର ବେଶଭୂଷା, ପରିପାଟୀ ସହିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ବିଚାରକ ମଣ୍ଡଳୀଙ୍କ ସମ୍ମୁଖରେ ନିଜ ଅଭିନୟ ନିଖୁଣତା ପ୍ରଦର୍ଶନ ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେହିପରି ଗତ ୧୫ ତାରିଖ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଉଗ୍ରସେନ ଏବଂ ୧୬ ତାରିଖ ମହାମନ୍ତ୍ରୀ ଓ ସେନାପତି ଚରିତ୍ର ପାଇଁ କଳାକାର ଚୟନ ହୋଇଥିଲା।
ବିଚାରକଭାବେ ବରଗଡ଼ର ମିହିର କୁମାର ମେହେର, କଳାହାଣ୍ଡିର ପରମେଶ୍ବର ମୁଣ୍ଡ, ସମ୍ବଲପୁରର ପ୍ରଦୀପ କୁମାର ପଣ୍ଡା, ଝାରସୁଗୁଡ଼ାର ସୁବାଷ ପ୍ରଧାନ ଏବଂ ଦେବଗଡ଼ର ସୁଜିତ ପାତ୍ର ଉପସ୍ଥିତ ଥିଲେ । ଆଜି ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଂସ ସମେତ ବିଭିନ୍ନ ଚରିତ୍ର ପାଇଁ ଚୟନ ହୋଇଥିବା କଳାକାରଙ୍କ ନାମ ଘୋଷଣା କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶର ଶତପଥୀ ସୂଚନା ଦେଇଛନ୍ତି।


