ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ କୁହାଯାଇଛି, ଦେଶର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ୱ ଦେଇ ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇଂରାଜୀ ସହ ସ୍ଥାନୀୟ ଭାଷାରେ ଲେଖୁଛନ୍ତି। ତେଣୁ ଶିକ୍ଷାନୁଷ୍ଠାନରେ ନାମଫଳକ ଓଡ଼ିଆ ଭାଷାରେ ଲେଖାହେଲେ ଓଡ଼ିଆ ଭାଷାର ଗୌରବ ଅକ୍ଷୁଣ୍ଣ ରହିବ। ତିନି ସପ୍ତାହ ମଧ୍ୟରେ ଏହାର ଅନୁପାଳନ କରାଯାଇ ସରକାରଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚିଠିରେ କୁହାଯାଇଛି।