ନୂଆଦିଲ୍ଲୀ, ୨।୧୧: ଟିମ ଇଣ୍ଡିଆର ଅନେକ ବଡ଼ ବଡ଼ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫ୍ଲପ୍ ହୋଇଛନ୍ତି। ଭାରତ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ବ୍ୟାଟିଂରେ ଶ୍ରେୟସ ଆୟର ଓ ତିଲକ ବର୍ମାଙ୍କ ଭଳି ପ୍ରମୁଖ ଖେଳାଳି ଗୋଟିଏ କିମ୍ବା ଦୁଇଟି ପାଳିକୁ ଛାଡ଼ିଦେଲେ ଅନ୍ୟ ମ୍ୟାଚରେ ବିଶେଷ କିଛି କରିପାରିନଥିଲେ। ସେହିପରି ବୋଲିଂରେ ଭୁବନେଶ୍ୱର କୁମାରଙ୍କଠାରୁ ଆରମ୍ଭ କରି ମୟଙ୍କ ଯାଦବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବ୍ୟାଟର୍ସମାନେ ଧୂଳି ଚଟାଇଥିଲେ। କରିଥିଲେ। କିନ୍ତୁ ଏହାରି ଭିତରେ ନମନ ଧୀର ଏକ ନୂଆ ତାରକା ଭାବେ ଉଭା ହୋଇଛନ୍ତି।
ନମନ ଧୀର ପ୍ରଥମ ଥର ପାଇଁ କୌଣସି ବିଦେଶ ଗସ୍ତରେ ଖେଳିବାକୁ ଯାଇଥିଲେ। ସେ ୬ ନମ୍ବର କିମ୍ବା ତା’ଠାରୁ ତଳ କ୍ରମରେ ବ୍ୟାଟିଂ କରିବା ସତ୍ତ୍ୱେ ସିରିଜ୍ରେ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍ ହୋଇଥିଲେ। ତେବେ ତାଙ୍କୁ ବୋଲିଂ କରିବାର ବିଶେଷ ସୁଯୋଗ ମିଳିନଥିଲା। ପୂରା ସିରିଜରେ ବାମହାତୀ ସ୍ପିନର୍ ନମନ ମାତ୍ର ୨ ଓଭର ବୋଲିଂ କରିଥିଲେ।
ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଶେୟାର କରିଛି। ଏଥିରେ ନମନ ଧୀରଙ୍କୁ ‘ଇମ୍ପାକ୍ଟ ପ୍ଲେୟର ଅଫ ଦ ସିରିଜ’ ଭାବେ ଚୟନ କରାଯାଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ତାଙ୍କୁ ଏକ ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା। ଟିମ ଇଣ୍ଡିଆର ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ ଆଡ୍ରିଆନ ଲି ରକ୍ସ ନମନଙ୍କୁ ଏହି ମେଡାଲ ପ୍ରଦାନ କରିଥିଲେ। ମେଡାଲ ପାଇବା ପରେ ଟିମ ଇଣ୍ଡିଆର ଅନ୍ୟ ଖେଳାଳିମାନେ ନମନଙ୍କୁ ଥଟ୍ଟା କରିବାକୁ ଲାଗିଥିଲେ। ସାଥୀ ଖେଳାଳିମାନେ ପାଟି କରି କହିଥିଲେ ଯେ, ନମନଙ୍କୁ ଅତି କମରେ ୨ ମିନିଟର ଏକ ଭାଷଣ ଦେବା ଉଚିତ। ଏହାପରେ ନମନ ପ୍ରଥମେ ନିଜର ସମସ୍ତ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଥିଲେ। ନିଜ ଦେଶ ବାହାରକୁ ଆସି ସିରିଜ ଜିତିବା ସହ ମେଡାଲ ପାଇବା ତାଙ୍କ ପାଇଁ ଏକ ସନ୍ତୋଷଜନକ ଅନୁଭୂତି ବୋଲି ସେ କହିଥିଲେ।