Categories: ବାଣିଜ୍ୟ

ନାଲ୍‌କୋର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୪।୨:ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ବେର୍ଡସ୍ତରୀୟ ବୈଠକ ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩ ଡିସେମ୍ବରରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଆର୍ଥିକ ଫଳାଫଳ ଅନୁଯାୟୀ ୩ୟ ତ୍ରୈମାସରେ ମୋଟ ୪୮୮ କୋଟି ଟଙ୍କା ଲାଭ ହୋଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ କମ୍ପାନୀ କ୍ରମାଗତ ଭାବେ ୧୩୭% ଲାଭ କରିଛି। ଉଲ୍ଲେଖଯୋଗ୍ୟ,ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆୟ ୩୩୫୮କୋଟି ଟଙ୍କା ତୁଳନାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆୟ ୩୩୯୮ କୋଟି ଟଙ୍କା ହୋଇଛି। ଏପରିକି ସର୍ବକାଳୀନ ସର୍ବାଧିକ ୩,୪୫,୦୮୬ ମେଟ୍ରିକ ଟନ ଧାତୁ ଉତ୍ପାଦନ ସହ କମ୍ପାନୀ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ସୁଦ୍ଧା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେହିପରି ବିକ୍ରି କ୍ଷେତ୍ରରେ ମଧ୍ୟ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ସର୍ବକାଳୀନ ସର୍ବାଧିକ ୩,୪୯,୪୧୯ ମେଟ୍ରିକ ଟନ୍‌ ଧାତୁ ବିକ୍ରି ହୋଇଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ କମ୍ପାନୀର ଲାଭ ୨୦୬ କୋଟି ଟଙ୍କା ଥିଲା। ୨୦୨୩ ଡିସେମ୍ବରର ୯ ମାସ ମଧ୍ୟରେ କମ୍ପାନୀର ମୋଟ ଲାଭ ୧୦୪୪ କୋଟି ଟଙ୍କା ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷର ସମାନ ୯ ମାସରେ ମୋଟ ଲାଭ ୧୦୨୩ କୋଟି ଟଙ୍କା ଥିଲା। ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷ ନିମନ୍ତେ କମ୍ପାନୀ ପକ୍ଷରୁ ଇକ୍‌ିଟି ଶେୟାର ପିଛା ୨ ଟଙ୍କା ହିସାବରେ ୨ୟ ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ଘୋଷଣା କରାଯାଇଛି।

Share