Categories: ବାଣିଜ୍ୟ

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ ଆଲୟେ ଇନ୍‌ଗଟ୍‌ ଏଏଲ୍‌-୫୯’କୁ ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରାଯାଇଛି। ଏପରିକି ଏଏଲ୍‌-୫୯ ମୁଖ୍ୟତଃ ବୈଦ୍ୟୁତିକ ସଞ୍ଚାରଣ ଓ ବିତରଣ କ୍ଷେତ୍ରରେ ବ୍ୟବହୃତ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଇଥାଏ। ସେହିଭଳି ଭାରତ ସରକାରଙ୍କ ଦ୍ୱାରା ସଂଶୋଧିତ ବିତରଣ କ୍ଷେତ୍ର ଯୋଜନା (ଆର୍‌ଡିଏସ୍‌ଏସ୍‌) ଆରମ୍ଭ ହେବା ପରେ ଏହାର ବହୁଳ ବ୍ୟବହାର କରାଯାଉଛି।

ଏହି ଧାତୁରୁ ପ୍ରସ୍ତୁତ କଣ୍ଡକ୍ଟର ଗୁଣାତ୍ମକ ହେବା ସହ ତିଆରି କରୁଥିବା କମ୍ପାନୀ ନିମନ୍ତେ ଏକ ସ୍ବତନ୍ତ୍ର ବଜାର ଚାହିଦା ସୃଷ୍ଟି କରିବ। ସେହିପରି ଏଏଲ୍‌-୫୯ ଆଲୟେରୁ ତିଆରି କଣ୍ଡକ୍ଟରଗୁଡ଼ିକୁ ଭିନ୍ନ ଭିନ୍ନ ଭୋଲ୍‌ଟେଜ (ଲୋ ଠାରୁ ଅଲ୍ଟ୍ରା ହାଇ) ଥିବା ବୈଦ୍ୟୁତିକ ସଞ୍ଚାରଣ ଓ ବିତରଣ ଲାଇନରେ ବ୍ୟବହାର କରାଯାଇଥାଏ। ଏହି ଆଲୟେର ଅବକ୍ଷୟ ପ୍ରତିରୋଧୀ ଗୁଣ ଥିବା ଯୋଗୁ ଏହା ବିଶେଷ ଭାବେ ଉପକୂଳବର୍ତ୍ତୀ ଅଞ୍ଚଳର ବୈଦ୍ୟୁତିକ ସଞ୍ଚାରଣ ଏବଂ ବିତରଣରେ ବ୍ୟବହାର କରାଯାଇଥାଏ। ଏପରିକି କଣ୍ଡକ୍ଟର ଉତ୍ପାଦନକାରୀମାନେ ବର୍ତ୍ତମାନ ନାଲ୍‌କୋର ଏଏଲ୍‌-୫୯ ଆଲୁମିନିୟମ ଆଲୟେ ଇନ୍‌ଗଟ୍‌ କ୍ରୟ କରିପାରିବେ ଏବଂ ଏହାକୁ ଏଏଲ୍‌-୫୯ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ଫିଡ୍‌ ଷ୍ଟକ୍‌ ଭାବେ ବ୍ୟବହାର କରିପାରିବେ।

ଅପରପକ୍ଷରେ ଉତ୍ପାଦର ପ୍ରଥମ ଗ୍ରାହକ ଏବଂ ନାଲ୍‌କୋର ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କମ୍ପାନୀର ନିର୍ଦ୍ଦେଶକ(ବାଣିଜି୍ୟକ) ସଦାଶିବ ସାମନ୍ତରାୟ ଏହି ନୂତନ ଆଲୁମିନିୟମ ଆଲୟେ ଇନ୍‌ଗଟ୍‌ ଏଏଲ୍‌-୫୯ ବୋଝେଇ ଗାଡ଼ିକୁ ପତାକା ଦେଖାଇ ବଜାର ପ୍ରବେଶ କରାଇଥିଲେ।
ଏ ନେଇ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର ସ୍ମେଲଟର ଏବଂ ମାର୍କେଟିଂ ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ ଏହା ଏକ ଭବିଷ୍ୟତମୁଖୀ ଉତ୍ପାଦ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share