Categories: ଜାତୀୟ

ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନେଫ୍ୟୁ ରିଓ, ଉପସ୍ଥିତ ରହିବେ ମୋଦି-ଶାହା

କୋହିମା,୭ ।୩: ନାଗାଲାଣ୍ଡ ରାଜନୀତିର ବରିଷ୍ଠ ନେତା ନେଫ୍ୟୁ ରିଓ ୭ ମାର୍ଚ୍ଚ ଅର୍ଥାତ୍ ମଙ୍ଗଳବାର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ତେବେ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଅଧିକାରୀମାନେ ସୂଚନା ଦେଇଛନ୍ତି କି ନେଫ୍ୟୁ ରିଓ ସୋମବାର ଅର୍ଥାତ୍ ୬ ମାର୍ଚ୍ଚ ସନ୍ଧ୍ୟାରେ ସରକାର ଗଠନ କରିବାକୁ ଦାବି କରିଥିଲେ । ରାଜ୍ୟରେ ୨୭ ଫେବୃୟାରୀରେ ନିର୍ବାଚନ ହୋଇଥିଲା ଓ ୨ ମାର୍ଚ୍ଚରେ ତ୍ରିପୁରା ଓ ମେଘାଳୟ ସହ ଫଳାଫଳ ଘୋଷଣା କରାଯାଇଥିଲା ।
ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ୬୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ୪୦-୨୦ ଆସନ ଭାଗବଣ୍ଟା ଫର୍ମୁଲା ସହ ନିର୍ବାଚନ ଲଢିଥିଲେ ଓ ଲଗାତାର ଦ୍ୱିତୀୟଥର ଲାଗି ଶାସନ କ୍ଷମତାକୁ ଆସିଛନ୍ତି । ଏନଡିପିପି ଓ ଭାଜପା ନିର୍ବାଚନରେ କ୍ରମଶଃ ୨୫ ଓ ୧୨ ଆସରେ ବିଜୟ ହାସଲ କରିଛନ୍ତି ।
ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରାୟ ଦିନ ୧ଟା ୩୦ରେ ହେବାକୁ ଯାଉଥିବା ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିବେ । ନାଗାଲାଣ୍ଡରେ ପ୍ରଥମଥର ଲାଗି ଏପରି ହେବାକୁ ଯାଇଛି ଯେ ରାଜ୍ୟ ମନ୍ତ୍ରୀପରିଷଦ ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ । ନେଫ୍ୟୁ ରିଓଙ୍କ ନେତୃତ୍ୱର ଏନଡିପିପି-ଭାଜପା ସରକାରଙ୍କ ଶପଥ ଗ୍ରହଣ ସେଠାକାର କ୍ୟାପିଟାଲ କଲଚର ହଲରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Share