Categories: ଜାତୀୟ

ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ

ଗୁଆହାଟୀ, ୧୧ା୩: ନାଗାଲାଣ୍ଡ ବିଧାନସଭା ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳ ଶୂନ୍ୟ ହୋଇଛି। ଶରଦ ପାଓ୍ବାରଙ୍କ ଏନ୍‌ସିପି ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କୁ ସମର୍ଥନ ଜଣାଇଛନ୍ତି। ସେମାନଙ୍କୁ ସରକାରରେ ସାମିଲ କରାଯିବ କିମ୍ବା ଏହାକୁ ବାହ୍ୟ ସମର୍ଥନ ବିବେଚନା କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ଏନ୍‌ଡିପିପି-ଭାଜପା ମେଣ୍ଟ ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନାଗାଲାଣ୍ଡ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଓ୍ବାଇ. ପାଟନ୍‌ କହିଛନ୍ତି। ୨୦୨୧ରେ ମଧ୍ୟ ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ ହୋଇଥିଲା। ଫଳରେ ଏନ୍‌ଡିପିପି-ଭାଜପାର ପିପୁଲ୍ସ ଡେମୋକ୍ରାଟିକ୍‌ ମେଣ୍ଟ ସରକାରକୁ ସଂଯୁକ୍ତ ଗଣତାନ୍ତ୍ରିକ ମେଣ୍ଟ ଭାବେ ନାମିତ କରାଯାଇ ସର୍ବଦଳୀୟ ସରକାର ଦ୍ୱାରା ଶାସନ ଚାଲିଥିଲା। ସେତେବେଳେ ଏନ୍‌ପିଏଫ୍‌ର ୨୬ ବିଧାୟକଙ୍କ ସମେତ ଜଣେ ସ୍ବାଧୀନ ବିଧାୟକ ସରକାରରେ ଯୋଗଦେଇଥିଲେ।
ଏଥର ମଧ୍ୟ ସମସ୍ତ ଦଳ ସରକାରଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ଏନ୍‌ଡିପିପି-ଭାଜପା ମେଣ୍ଟକୁ ୩୭ ଆସନ ମିଳିଛି। ଏହା ବ୍ୟତୀତ ଅନ୍ୟ ବିଧାୟକମାନେ ବାହାରୁ ସରକାରଙ୍କୁ ସମର୍ଥନ ଘୋଷଣା କରିଥିବାରୁ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ତେବେ ୩୭ ଆସନରେ ଆମେ ଠିକ୍‌ ଅଛୁ ବୋଲି ପାଟନ୍‌ କହିଛନ୍ତି। ନାଗାଲାଣ୍ଡ ନିର୍ବାଚନରେ ୮ଟି ଦଳ ଆସନ ଜିତିଛନ୍ତି। ଶରଦ ପାଓ୍ବାରଙ୍କ ଏନ୍‌ସିପି ୭ ଆସନ ଜିତି ତୃତୀୟ ସ୍ଥାନରେ ଥିବାବେଳେ ଏହା ରିଓ ସରକାରଙ୍କୁ ସମର୍ଥନ ଘୋଷଣା କରିଛି। ସେହିପରି ଏନ୍‌ପିପିର ୩ ବିଧାୟକ, ଲୋକ ଜନଶକ୍ତି ପାର୍ଟି- ରାମ ବିଳାସ ଏବଂ ରାମଦାସ ଅଠାଓ୍ବାଲେଙ୍କ ନେତୃତ୍ୱାଧୀନ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆର ୨ ଜଣ ଲେଖାଏ ବିଧାୟକ ସରକାରଙ୍କ ସମର୍ଥନ ଜଣାଇଛନ୍ତି। ଏପରି କି ଜେଡିୟୁର ଏକମାତ୍ର ବିଧାୟକ ମଧ୍ୟ ରିଓ ସରକାରଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି। ଉତ୍ତର-ପୂର୍ବାଞ୍ଚଳର ସମସ୍ତ ଦଳ ଶେଷରେ ଦେଶର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଜଣାଇବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

Share