୧୮ ଖଣ୍ଡ ଗାଁ ଲୋକଙ୍କ ମୁଖ୍ୟରାସ୍ତା ନାଗାବଳୀ

ରାୟଗଡ଼ା ଅଫିସ,୨୮ା୧୦: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଲୋକଙ୍କ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁସେତୁ ନିର୍ମାଣ କାର୍ଯ୍ୟ ୩ ବର୍ଷ ତଳେ ଆରମ୍ଭ ହୋଇଛି। ହେଲେ ପୋଲକାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି। ଫଳରେ ଦୈନନ୍ଦିନ କାର୍ଯ୍ୟ ଏବଂ ଜରୁରୀ ସେବା ପାଇଁ ଗ୍ରାମବାସୀ ବିପଜ୍ଜନକ ଅବସ୍ଥାରେ ଭରାନଦୀ ପାରିହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ରୋଗୀ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଷ୍ଟ୍ରେଚର ଏବଂ ଭାରରେ ବୋହି ନଦୀପାର ହେବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ବୁଧବାର ରାୟଗଡ଼ା ସଦର ବ୍ଲକ ଶେଷଖାଲ ପଞ୍ଚାୟତ ଅର୍ନ୍ତଗତ ଖିଲିମିସଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ଗାଁର ପ୍ରଦୀପ କଲକା(୫୬)ଜ୍ୱରରେ ପୀଡ଼ିତ ଥିବାବେଳେ ଜ୍ୱର ନ କମିବାରୁ ସମ୍ପର୍କୀୟମାନେ ତାଙ୍କୁ ଜେମାଦେଇପେଣ୍ଠ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡ଼ି ଯିବାକୁ ରାସ୍ତା କିମ୍ବା ପୋଲ ନ ଥିବାରୁ ପ୍ରଦୀପଙ୍କୁ ଷ୍ଟ୍ରେଚରରେ ବୋହି ନଦୀ ପାରହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ନାଗାବଳୀ ଅପରପାର୍ଶ୍ୱରେ ରହିଥିବା ଖିଲମିସଗୁଡ଼ା, ରାଣାଗୁଡ଼ା, କେରାଣ୍ଡି, ଲୁମ୍ବେସୁ, କାଷଡ଼ା, ତରାମ୍‌, ପାଲମପୁଲିସ, ଚମ୍ପି ଏବଂ ଦୁର୍ଗାପାଡ଼ୁ ସମେତ ୧୮ ଗ୍ରାମର ଲୋକେ ଯାତାୟାତ ନିମନ୍ତେ ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି। ଏହାର ସମାଧାନ ନିମନ୍ତେ ୧୧ କୋଟି ୫୩ ଲକ୍ଷ ୫୦ ହଜାର ୨୧୨ଟଙ୍କା ବ୍ୟୟ ଅଟକଳରେ ୨୦୧୯ ମାର୍ଚ୍ଚ ୮ ରେ ନଦୀ ଉପରେ ବିଜୁସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୦୨୧ ମାର୍ଚ୍ଚ ୭ ମଧ୍ୟରେ କାମ ଶେଷ ପାଇଁ ସମୟସୀମା ଧାର୍ଯ୍ୟ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ କାମ ଅଧାପନତରିଆ ଅବସ୍ଥାରେ ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଏ ନେଇ ରାୟଗଡ଼ା ବିଡିଓ ଲକ୍ଷ୍ମୀ ନାରାୟଣ ସାବତଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ପୋଲ ନିର୍ମାଣ କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଛି। ବର୍ଷା ଯୋଗୁ କାମ ଅଟକି ଥାଇପାରେ ବୋଲି ସେ କହିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାମ ନେଇଥିବା ଠିକଦାର ସ୍ଲାବ୍‌ କାମ ଅଧାପନ୍ତରିଆ ଛାଡ଼ି ଦେଇଛନ୍ତି। ବାରମ୍ବାର ତାଗିଦ ପରେ ମଧ୍ୟ ସେ ଶୁଣୁନାହଁାନ୍ତି। ଏ ନେଇ ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୋଲକାମ ସରିଲେ ୧୮ ଖଣ୍ଡ ଗ୍ରାମର ଲୋକେ ନୂଆ ଜୀବନ ପାଇବେ ବୋଲି ଶେଷଖାଲ ପଞ୍ଚାୟତର ସମିତି ସଭ୍ୟ କ୍ରିଷ୍ଣା କଲାକା, ମାନୁ କଣ୍ଡାଗରି ଏବଂ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପୋଲ ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ ନ କଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି।