Categories: ରାଜ୍ୟ

ଆବଶ୍ୟକ ଅନୁଯାୟୀ ଡାଲି ଯୋଗାଇବାକୁ ନାଫେଡ୍‌ର ପ୍ରସ୍ତାବ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ପଡୁଥିବା ଡାଲି ଓଡ଼ିଶାକୁ ଦେବା ସକାଶେ ନାଫେଡ୍‌ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ଚଢ଼ା ଦେଇଥିବା ପ୍ରସ୍ତାବ ଅନୁଯାୟୀ, ଏହି ସଂସ୍ଥା ନିକଟରେ ମୁଗ, ହରଡ଼ ଛଡ଼ା ଅନ୍ୟାନ୍ୟ ସମସ୍ତ ପ୍ରକାର ଡାଲି ଓ ତୈଳବୀଜ ମହଜୁଦ ରହିଛି। ଏହିସବୁ ସାମଗ୍ରୀକୁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଯୋଗାଇ ଦେଇପାରିବେ। ସରକାର ମଧ୍ୟାହ୍ନଭୋଜନ, ଅନ୍ତ୍ୟୋଦୟ, ଅନ୍ନପୂର୍ଣ୍ଣା, ଆଇସିଡିଏସ୍‌କୁ ସାଧାରଣ ବଣ୍ଟନ ଜରିଆରେ ବିଭିନ୍ନ ସାମଗ୍ରୀ ଯୋଗାଇ ଥାଆନ୍ତି। ଯେହେତୁ ରାଜ୍ୟ ସରକାରଙ୍କ ସହ ନାଫେଡ୍‌ର ଭଲ ସମ୍ପର୍କ ରହିଛି ସେଥିପାଇଁ ଏହି ଜାତୀୟ ସଂସ୍ଥା ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି। ନାଫେଡ୍‌ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ବର୍ତ୍ତମାନ ବିଚାର କରୁଥିବା ଜଣାପଡିଛି। ରାଜ୍ୟରେ କେତେ ଡାଲିର ଆବଶ୍ୟକତା ରହିଛି ସେନେଇ ସରକାର ନାଫେଡ୍‌କୁ ଆଗକୁ ସୂଚନା ଦେବାପରେ ସେହି ଅନୁଯାୟୀ ତାହା ସରକାରଙ୍କୁ ଯୋଗାଇ ଦେଇପାରିବ। ଚଢ଼ା ଆହୁରି କହିଛନ୍ତି, ସରକାର ତାଙ୍କ ମାସେ ଓ୍ବାରି ଆବଶ୍ୟକତାକୁ ନାଫେଡ୍‌କୁ ଅବଗତ କରାଇଲେ ଆଗାମୀ ବର୍ଷକ ପାଇଁ ଯେତେ ପ୍ରକାର ଡାଲି ଜାତୀୟ ଶସ୍ୟ ଓ ତୈଳବୀଜର ଆବଶ୍ୟକତା ପଡିବ ତାହା ନାଫେଡ୍‌ ଯୋଗାଇଦେବ। ଏହା ଅତ୍ୟନ୍ତ ଗୁଣାତ୍ମକ ଏବଂ ବଜାର ମୂଲ୍ୟଠାରୁ ଅପେକ୍ଷାକୃତ କମ୍‌ ଦରରେ ଯୋଗାଇ ଦିଆଯାଏ। ତେଣୁ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନାଫେଡ୍‌କୁ ତାଙ୍କ ଆବଶ୍ୟକତା ଜଣାଇବା ପାଇଁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।