Categories: ଜାତୀୟ

ଘରକୁ ଘର ପ୍ରଚାର ଲାଗି ଭାଜପା ନେତାଙ୍କୁ କହିଲେ ନଡ୍ଡା

ନୂଆଦିଲ୍ଲୀ,୭।୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରକୁ ଘର ଯାଇ ଲୋକଙ୍କ ସହ ଭାବାତ୍ମକ ସମ୍ପର୍କ ରଖିବାକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଙ୍ଗଳବାର ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ସାରା ଦେଶର ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ବୈଠକକୁ ସମ୍ବୋଧନ କରି ନଡ୍ଡା କହିଥିଲେ, ସବୁ ରାଜ୍ୟ ଶାଖା ଘରକୁ ଘର ପ୍ରଚାର ଅଭିଯାନ ଆରମ୍ଭ କରିବେ। ଦଳର କିଛି ପ୍ରଚାରପତ୍ର ଲୋକଙ୍କୁ ଧରାଇଦେବାରେ ଏହି ଅଭିଯାନ ସୀମିତ ରହିବା ଉଚିତ ନୁହେଁ। ଦଳୀୟ ନେତାମାନେ ଲୋକଙ୍କ ସହ ସେମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ ସମସ୍ୟା ବୁଝିବେ। ସମସ୍ୟାର ସମାଧାନ ଦିଗରେ ଲୋକମାନଙ୍କୁ ସହାୟତା କରିବା ଲାଗି ନଡ୍ଡା ପରାମର୍ଶ ଦେଇଛନ୍ତି। ଦୁଇଦିନିଆ ବୈଠକର ଶେଷ ଦିନରେ ତ୍ରିପୁରା, କର୍ନାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗୁଜରାଟ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ଭାଜପା କର୍ନାଟକ ଉପରେ ନଜର ପକାଇଛି। ଆସନ୍ତାବର୍ଷ ଏପ୍ରିଲ-ମେ’ରେ ସେଠାରେ ନିର୍ବାଚନ ହେବାକୁ ଯାଉଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କ ବୈଠକକୁ ଉଦ୍‌ଘାଟନ କରି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମେତ ୨୦୨୪ ଲୋକ ସଭା ନିର୍ବାଚନ ପ୍ରସ୍ତୁତି ନେଇ ରଣନୀତି ଉପରେ ଆଲୋଚନା କରିଥିଲେ।

Share