ଶେଷ ହେଲା ଏନ୍‌ଏସି ନିର୍ବାଚନ: ହିନ୍ଦୋଳରେ ୮୮%, ଅତାବିରା ୭୪% ବୁଧବାର ହେବ ଭୋଟ ଗଣତି

ଭୁବନେଶ୍ୱର,୩ା୪(ବ୍ୟୁରୋ)-ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ା ହିନ୍ଦୋଳ ଏନ୍‌ଏସିରେ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରାରେ ୭୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଦୁଇ ଏନ୍‌ଏସିର ସମୁଦାୟ ୨୮ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଛି ା ଅତାବିରା ଏନ୍‌ଏସିର ୧୨ଟି ଓ୍ବାର୍ଡର କାଉନ୍‌ସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ଲାଗି ୪ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ା ସେହିପରି ହିନ୍ଦୋଳ ଏନ୍‌ଏସିର ୧୬ଗୋଟି ୱାର୍ଡର କାଉନ୍‌ସିଲର ପଦବୀ ନିମନ୍ତେ ସମୁଦାୟ ୫୦ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଭୟ ଏନ୍‌ଏସିରେ ମତଦାନ ଅନୁଷ୍ଠିତ ହୋଇଥିଲା ା ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୫ ତାରିଖରେ ଉଭୟ ଏନ୍‌ଏସିରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଅନ୍ୟପକ୍ଷେ ଏପ୍ରିଲ ୧୯ରେ ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।