Categories: ବାଣିଜ୍ୟ

ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ମକା ବିକିବେ ନବରଙ୍ଗପୁର ଚାଷୀ

ଭୁବନେଶ୍ୱର, ୫।୧୧ (ବନ୍ଦନା ସେଠୀ): ନବରଙ୍ଗପୁର ଜିଲା ମକା ଚାଷୀ ସେମାନଙ୍କ ଉତ୍ପାଦିତ ମକାକୁ ଉଚିତ ଦରରେ ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ବିକ୍ରି କରିପାରିବେ। ଏପରିକି ଅମଳ ମକା ସଂଗ୍ରହ, ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ। ଶନିବାର ଭୁବନେଶ୍ୱର ୟୁନିଟ-୮ସ୍ଥିତ ଏସ୍‌ଆଇଆର୍‌ଡି ଏବଂ ପଞ୍ଚାୟତିରାଜ କ୍ୟାମ୍ପସ ପରିସର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଗତ କ୍ରେତା-ବିକ୍ରେତା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଓରମାସ ତରଫରୁ ଆନ୍ଧ୍ରପ୍ରଦେଶର ବିଜୟନଗର ବାୟୋଟେକ ଏବଂ ବିହାର ପାଟନାର ଡିହାଟ ସଂସ୍ଥା ସହିତ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଓରମାସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ଚୁକ୍ତିନାମା ଅନୁଯାୟୀ, ଏହି ଦୁଇଟି ସଂସ୍ଥା ନବରଙ୍ଗପୁର ଜିଲାରେ ଓର୍‌ମାସ ଦ୍ୱାରା ଗଠିତ ତଥା ପରିଚାଳିତ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନଗୁଡ଼ିକଠାରୁ ଉଚିତ ଦର ଦେଇ ମକା ସଂଗ୍ରହ କରିବେ। ଏ ଦିଗରେ ଉଭୟ ସଂସ୍ଥା ଏବଂ ଉତ୍ପାଦକ ସଂଗଠନଗୁଡ଼ିକୁ ଓରମାସ ସମସ୍ତ ପ୍ରକାର ସହାୟତା ଦେବ। ରାଜ୍ୟ କ୍ଷେତ୍ରୀୟ ଯୋଜନା ଜରିଆରେ ଓରମାସ ନବରଙ୍ଗପୁର ଜିଲାରେ ମକା ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରି ପାଇଁ ମହିଳା ନେତୃତ୍ୱାଧୀନ ୧୪ଟି ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଏବଂ ବିକଶିତ କରିବା ସହ ଗୋଟିଏ ମିଳିତ କୃଷକ ଉତ୍ପାଦକ ସଂଗଠନ ଗଠନ କରିଛି। ସେଥିମଧ୍ୟରୁ ୧୨ଟି କୃଷକ ଉତ୍ପାଦକ ସଂଗଠନ ପଞ୍ଜୀକୃତ ହୋଇସାରିଥିବାବେଳେ ୭ଟି ଏଗ୍ରିମଲ୍‌ ଓ ଗୋଟିଏ ଉତ୍ପାଦକ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି।
କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଯୋଗଦେଇ, କ୍ରମାଗତ ଦକ୍ଷତା ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ, ମକା ସଂଗ୍ରହ ଆଦି କାର୍ଯ୍ୟଗୁଡିକୁ ଓର୍‌ମାସ ଦ୍ୱାରା ନିୟମିତ ତଦାରଖ କରାଯାଉଥିବା କହିଥିଲେ। ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର, ବିଭିନ୍ନ ପ୍ରତିଷ୍ଠିତ ଘରୋଇ ସଂସ୍ଥା, ଆଇସିଏଆର୍‌ ଅଧୀନସ୍ଥ ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ. ଶଙ୍କର ଲାଲ ଜାଠ, ନବରଙ୍ଗପୁର ଜିଲାର ୧୪ଟି କୃଷକ ଉତ୍ପାଦକ ସଂଗଠନର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ସଦସ୍ୟା ଏବଂ ଓରମାସ୍‌ର ଅଧିକାରୀମାନେ ଯୋଗଦେଇଥିଲେ।

Share