ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମିନିଟ୍ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ନବାନ୍ନ ଲାଗି କରାଇଛି । ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା’ଙ୍କ ଚରଣରେ ଅର୍ପଣ କରାଯିବା ସହ ମନ୍ଦିର ପରିସରସ୍ଥ ଅନ୍ୟ ୧୧୫ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ସମ୍ପନ୍ନ ହୋଇଛି ।
ଏହି ପବିତ୍ର ମୁହୂର୍ତ୍ତରେ ମା’ଙ୍କ ଆଶୀର୍ବାଦ ଲାଭ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମରେ ମନ୍ଦିର ପ୍ରାଙ୍ଗଣ ଉଛୁଳି ଉଠିବା ସହ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶ୍ରଦ୍ଧାଳୁମାନେ ମା’ଙ୍କୁ ନୂତନ ଶସ୍ୟର ଅର୍ଘ୍ୟ ଅର୍ପଣ କରି ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ମା’ଙ୍କ ନିକଟରେ ନବାନ୍ନ ଲାଗି ହେଲା ପରେ ଘରେ ଘରେ ପରିବାର ସଦସ୍ୟ ଏକାଠି ବସି ନୂଆଁ ଖାଇବା ସହ ପରସ୍ପରଙ୍କୁ ‘ନୂଆଁଖାଇ ଜୁହାର ଭେଟ୍’ ହୋଇଛନ୍ତି । ଏହାସହ ପରସ୍ପରଙ୍କୁ ନୂଆଁଖାଇର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ବରିଷ୍ଠଙ୍କୁ ଜୁହାର ଓ କନିଷ୍ଠଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ସମ୍ବଲପୁରବାସୀ।
ଦୂରଦୂରାନ୍ତରେ ରହୁଥିବା ଆତ୍ମୀୟସ୍ୱଜନ ଘରକୁ ଫେରିବା ଫଳରେ ଏକ ଅପୂର୍ବ ପାରିବାରିକ ମିଳନ ଦେଖିବାକୁ ମିଳିଛି। ନୂତନ ବସ୍ତ୍ର ପରିଧାନ କରି ପାରମ୍ପରିକ ରୀତିନୀତିରେ ଲୋକେ ଏହି ପର୍ବ ପାଳନ କରୁଥିବା ବେଳେ ଘରେ ଘରେ ସୁସ୍ୱାଦୁ ପିଠାପଣାର ମହକରେ ମହକି ଉଠିଛି ସମଗ୍ର ଅଞ୍ଚଳ । ଘଣ୍ଟ, ଘଣ୍ଟା, ଶଙ୍ଖ ଓ ପଞ୍ଚବାଦ୍ୟର ତାଳେ ତାଳେ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରା ସହର ଝୁମି ଉଠିଛି।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ନୂଆଁଖାଇକୁ ସାମାଜିକ ତଥା ପାରିବାରିକ ଆତ୍ମୀୟତାର ପ୍ରତୀକ ବୋଲି ଅଭିହିତ କରିଛନ୍ତି । ସେହିପରି ସମ୍ବଲପୁର ଏମପି ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇର ଶୁଭେଚ୍ଛା ଜଣାଇ ଏହାକୁ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖୁଥିବା ପର୍ବ ବୋଲି ପ୍ରକାଶ କରିଛନ୍ତି।