Categories: ଜାତୀୟ

ବୟାନ ନ ଦେଇ ସହର ଛାଡ଼ିଲେ ମହୀଶୂର ଗଣବଳାତ୍କାର ପୀଡ଼ିତା

ଲକ୍ଷ୍ନୌ, ୩୦।୮: କର୍ନାଟକର ମହୀଶୂର ଉପକଣ୍ଠ ଚାମୁଣ୍ଡି ପାହାଡ଼ରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ପୋଲିସ ଆଗରେ ବୟାନ ନ ଦେଇ ପରିବାର ସହ ସହର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ମହାରାଷ୍ଟ୍ରର ୨୩ ବର୍ଷୀୟା ଏମ୍‌ବିଏ ଛାତ୍ରୀଙ୍କ ଗଣବଳାତ୍କାର ମାମଲାରେ ଗିରଫ ହୋଇଛନ୍ତି ୫ ଅଭିଯୁକ୍ତ। କିନ୍ତୁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ପୀଡ଼ିତାଙ୍କ ବୟାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ନ ହେଲେ ଦୋଷୀଙ୍କ ବିରୋଧରେ ମାମଲା ଦୁର୍ବଳ ହୋଇପାରେ।

ଗଣବଳାତ୍କାର ଯୋଗୁ ପୀଡ଼ିତା ଛାତ୍ରୀ ମାନସିକ ଆଘାତ ପାଇଥିବାରୁ ପୋଲିସ ତାଙ୍କ ବୟାନ ରେକର୍ଡ କରିପାରି ନ ଥିଲା ବୋଲି କର୍ନାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପୀଡ଼ିତା ବୟାନ ରେକର୍ଡ କରାଇବାକୁ ଚାହୁଁ ନ ଥିଲେ ବୋଲି ପୋଲିସ କହିଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ରୀଙ୍କ ପୁରୁଷ ବନ୍ଧୁ କରିଥିବା ଅଭିଯୋଗ ଆଧାରରେ ପୋଲିସ ଏତଲା ରୁଜୁ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। କୋର୍ଟରେ ହାଜର କରିବା ପରେ ପୋଲିସ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି।

Share