ଧୂଷୁରୀ ଅଞ୍ଚଳରେ ରହସ୍ୟମୟ ମୃତ୍ୟୁ: ନାଳରେ ଭାସୁଛି ଅଜଣା ମୃତଦେହ

ଧାମନଗର,୨୦ା୭(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧୀନ ବୟାଙ୍ଗଡିହି ପଞ୍ଚାୟତର ନୂଆଗାଁ ବଜାର ନିକଟସ୍ଥ ଏକ ନାଳରୁ ସୋମବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସକାଳେ କିଛି ସ୍ଥାନୀୟ ଲୋକ ନାଳରେ ମୃତଦେହ ଭାସୁଥିବା ଦେଖି ତୁରନ୍ତ ଧୂଷୁରୀ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବାବେଳେ ତାଙ୍କୁ ହତ୍ୟା କରି ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ନାଳରେ ଫିଙ୍ଗି ଦିଆଯାଇଥିବା ନେଇ ସ୍ଥାନୀୟ ମହଲରେ ସନ୍ଦେହ ପ୍ରକାଶ ପାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily