ରୁଷିଆ ବିମାନ-ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ମ୍ୟାନମାର ସାମରିକ ଶାସକ…

ନାପିଦ୍ୱ/ମସ୍କୋ,୨୪।୧ : ମ୍ୟାନମାରର ସାମରିକ ଶାସକ ବିରୋଧୀଙ୍କ ବିରୋଧରେ ଜାରି ରଖିଥିବା ଗୃହଯୁଦ୍ଧରେ ରୁଷିଆର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛନ୍ତି। ଏଭଳି ଅସ୍ତ୍ରଶସ୍ତ୍ର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସାମରିକ ଶାସକଙ୍କର ଏହି ଆକ୍ରମଣର ଶିକାର ହେଉଛନ୍ତି।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମ୍ୟାନମାରର ବାୟୁସେନା ଗତ କିଛି ମାସ ମଧ୍ୟରେ ରୁଷିଆରେରେ ନିର୍ମିତ ୟାକ -୧୩୦ ବିମାନ ଏବଂ ଏମଆଇ-୩୫ ହେଲିକପ୍ଟର ବ୍ୟବହାର କରିଛି। ଏହା ମାଧ୍ୟମରେ ସରକାରୀ ବିରୋଧୀ ଗୋଷ୍ଠୀର ପ୍ରଭାବରେ ଥିବା ଅଞ୍ଚଳଗୁଡିକ ଉପରେ ବୋମା ମାଡ଼ କରାଯାଇଛି, ଯେଉଁ କାରଣରୁ ଅନେକ ସାଧାରଣ ନାଗରିକଙ୍କ ବସତି ମଧ୍ୟ ଏହାର ଶିକାର ହୋଇଛି।

ମାନବ ଅଧିକାର ସଂଗଠନ ଅଭିଯୋଗ କରିଛନ୍ତି ଯେ ଜୁଣ୍ଟା ସାଧାରଣ ନାଗରିକ ବସ୍ତିବାସିନ୍ଦାଙ୍କୁ ଟାର୍ଗେଟ କରି ଯୁଦ୍ଧ ଅପରାଧ କରୁଛି। ଏହି ସଂଗଠନଗୁଡିକ ଅଭିଯୋଗ କରିଛନ୍ତି ଯେ ଏହି ଅପରାଧରେ ରୁଷିଆ ମ୍ୟାନମାରର ସହଯୋଗୀ ପାଲଟିଛି। ମ୍ୟାନମାରରେ ଅତି କମରେ ୨୦ ୟାକ -୧୩୦ ଯୁଦ୍ଧ ବିମାନ ଅଛି ବୋଲି କୁହାଯାଉଛି। ଯଦିଓ ଏହି ଦୁଇ ଆସନ ବିଶିଷ୍ଟ ବିମାନ ପାଇଲଟଙ୍କ ତାଲିମ ପାଇଁ ପ୍ରସ୍ତୁତ କରାଯାଇଛି, କିନ୍ତୁ ମ୍ୟାନମାରର ଗୃହଯୁଦ୍ଧରେ ଏଗୁଡିକର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଗତ ଅକ୍ଟୋବରରେ, ଆମେରିକୀୟ ଥିଙ୍କ ଟ୍ୟାଙ୍କ ଜେନ୍ସ ଇନଫରମେଶନ ଗ୍ରୁପ୍‌ ରିପୋର୍ଟ କରିଥିଲା ଯେ ମ୍ୟାନମାରରେ ରୁଷିଆର ହେଲିକପ୍ଟର ବ୍ୟବହାର ବଢ଼ିବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର ସଗୈନ ଅଞ୍ଚଳରେ ରୁଷିଆରେ ନିର୍ମିତ କେମୋଭ କେଏ-୨୯ ଟିବି ହେଲିକପ୍ଟର ସାମରିକ ଶାସକଙ୍କ ଦ୍ୱାରା ବ୍ୟବହୃତ ହୋଇଛି।

Share