ଦି ହେଗ,୨୦।୧୧: ୨୦୧୭ ମସିହାରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ଉପରେ ହୋଇଥିବା ବର୍ବର ଦମନଲୀଳା ସମୟରେ ମ୍ୟାନ୍ମାର ସୁରକ୍ଷା ବଳ ହଜାର ହଜାର ରୋହିଙ୍ଗ୍ୟା ନାଗରିକଙ୍କୁ ହତ୍ୟା କରିଥିଲା ବୋଲି ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ) ଗୁରୁବାର ସ୍ପଷ୍ଟ କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ଐତିହାସିକ ରାୟ ପାଠ ସମୟରେ କୋର୍ଟ କହିଛନ୍ତି, ମ୍ୟାନ୍ମାର ସୈନିକମାନେ ପ୍ରାୟ ୧୦,୦୦୦ ରୋହିଙ୍ଗ୍ୟାଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ମହିଳାଙ୍କ ଉପରେ ବ୍ୟାପକ ଯୌନ ହିଂସା, ଶିଶୁଙ୍କ ଉପରେ ଅତ୍ୟାଚାର ଏବଂ ଗ୍ରାମଗୁଡ଼ିକୁ ଧ୍ୱଂସ କରିଦେଇଥିଲେ। ବାଂଲାଦେଶକୁ ପଳାୟନ କରୁଥିବା ନିରୀହ ଲୋକଙ୍କ ଉପରେ ମଧ୍ୟ ସେନା ପକ୍ଷରୁ ଆକ୍ରମଣ କରାଯାଇଥିବା ପ୍ରମାଣରୁ ସ୍ପଷ୍ଟ ହୋଇଛି।
୧୯୪୮ ଜାତିସଂଘ ଗଣହତ୍ୟା ସମ୍ମିଳନୀ ଅଧୀନରେ ଗାମ୍ବିଆ ଦ୍ୱାରା ଦାୟର କରାଯାଇଥିବା ଏହି ମାମଲାର ବିଚାର ଗତ ସାତ ବର୍ଷ ଧରି ୧୫ ଜଣିଆ ଖଣ୍ଡପୀଠରେ ଚାଲିଥିଲା। ମ୍ୟାନ୍ମାର ସର୍ବଦା ଏହି ଅଭିଯୋଗକୁ ଖଣ୍ଡନ କରି ବିଦ୍ରୋହୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଯୁକ୍ତି ବାଢ଼ିଆସିଛି। ତେବେ ଏହା ‘ଗଣହତ୍ୟା’ ଶ୍ରେଣୀଭୁକ୍ତ କି ନୁହେଁ, ସେ ନେଇ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଉଥିବା ବେଳେ ବାଂଲାଦେଶର ବିଶାଳ ଶରଣାର୍ଥୀ ଶିବିରରେ ରହୁଥିବା ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟାଙ୍କ ମନରେ ନ୍ୟାୟ ପାଇବାର ଏକ ନୂତନ ଆଶା ସଞ୍ଚାର ହୋଇଛି।
ଏହି ଐତିହାସିକ ରାୟ କେବଳ ରୋହିଙ୍ଗ୍ୟା ପୀଡ଼ିତଙ୍କ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ମାନବାଧିକାର ଏବଂ ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ୨୦୨୧ ସାମରିକ ବିଦ୍ରୋହ ପରେ କ୍ଷମତା ଦଖଲ କରିଥିବା ମ୍ୟାନ୍ମାର ନେତା ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ଉପରେ ଏହା ଅନ୍ତର୍ଜାତୀୟ ଚାପ ବୃଦ୍ଧି କରିବ।