Categories: ଜାତୀୟ

‘ପୁଅ ରାଜଧର୍ମ, ମୁଁ ରାଷ୍ଟ୍ରଧର୍ମ ପାଳନ କରିବି’

ନୂଆଦିଲ୍ଲୀ,୨୬।୬: ଆସନ୍ତା ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଜୁନ୍‌ ୨୭ରେ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ପୂର୍ବରୁ ରବିବାର ଯଶଓ୍ବନ୍ତ କହିଛନ୍ତି, ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଏକ ବ୍ୟକ୍ତିଗତ ପ୍ରତିଯୋଗିତାରୁ ଅଧିକ ଏବଂ ସରକାରଙ୍କ କ୍ଷମତାସୀନ ପ୍ରବୃତ୍ତିକୁ ପ୍ରତିହତ କରିବା ଦିଗରେ ଏକ ପଦକ୍ଷେପ।
ଏକ ସାକ୍ଷାତ୍‌କାରରେ ସିହ୍ନା କହିଛନ୍ତି, ତାଙ୍କ ପୁଅ ତଥା ଭାଜପା ଏମ୍‌ପି ଜୟନ୍ତ ସିହ୍ନାଙ୍କ ସମର୍ଥନ ନ ପାଇ ସେ କୌଣସି ଧର୍ମ ସଙ୍କଟରେ ନାହାନ୍ତି। ପୁଅ ତାଙ୍କର ‘ରାଜଧର୍ମ’କୁ ଅନୁସରଣ କରୁଛନ୍ତି, ମୁଁ ମୋର ‘ରାଷ୍ଟ୍ରଧର୍ମ’ ଅନୁସରଣ କରିବି।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିହ୍ନା କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ଉପରକୁ ଉଠାଇବା ସମଗ୍ର ସମ୍ପ୍ରଦାୟର ଉନ୍ନତି ନିଶ୍ଚିତ କରେ ନାହିଁ। ମୁର୍ମୁଙ୍କ ଉପରେ ଭାଜପାର ବାଜି ରାଜନୈତିକ ପ୍ରତୀକ ଛଡା ଆଉ କିଛି ନୁହେଁ। ଆଜି ଆମ ଦେଶର ରାଜନୀତିରେ ଏତେ ଦୁର୍ବଳତା ଦେଖାଦେଇଛି ଯେ ଲୋକମାନେ ରାସ୍ତାରେ ଯିବାକୁ ବାଧ୍ୟ ହେଉଛନ୍ତି। ଗଣତନ୍ତ୍ରରେ ଏହା ହେବା ଉଚିତ ନୁହେଁ। ସେ ଯଦି ନିର୍ବାଚିତ ହୁଅନ୍ତି,ତେବେ ତୁରନ୍ତ ସରକାରୀ ଏଜେନ୍ସିର ଅପବ୍ୟବହାରକୁ ରୋକିବାକୁ ଚେଷ୍ଟା କରିବେ।

Share