ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି, ତାଙ୍କ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ତାଙ୍କ ଫୋନ୍‌ରେ ରହିଛି ଏବଂ ପ୍ରଧାନମନ୍ତ୍ରୀ ଏହାକୁ ଟ୍ୟାପ କରାଉଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ ସାମ୍ନାସାମ୍ନି ବିତର୍କ ପାଇଁ ପୁଣି ଆହ୍ବାନ କରିଛନ୍ତି ରାହୁଲ। ତାଙ୍କ ଏହି ଅଭିଯୋଗ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ କହିଛନ୍ତି, ସେ ଯେଉଁସବୁ ଅଭିଯୋଗ କରୁଛନ୍ତି, ସେଗୁଡ଼ିକର ପ୍ରମାଣ ତାଙ୍କ ଫୋନରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ସାମ୍ନାସାମ୍ନି ବିତର୍କ ହେଲେ କିଏ ବିଦେଶୀ ଶକ୍ତିଙ୍କ ଇଙ୍ଗିତରେ କାମ କରୁଛି, କିଏ ଦେଶବିରୋଧୀ ଏବଂ କେବେଠାରୁ ଏଭଳି କାର୍ଯ୍ୟରେ ଜଡ଼ିତ ରହିଛି, ତାହା ସ୍ପଷ୍ଟ ହୋଇଯିବ। ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତାଙ୍କ ପାଖରେ ଥିବା ମଧ୍ୟ ସେ ଦାବି କରିଛନ୍ତି।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସଂସଦରେ ତାଙ୍କ ମାଇକ ଅନେକଥର ବନ୍ଦ କରିଦିଆଯାଉଛି। କୃଷି ଆଇନ, ଭୋଟ ଚୋରି, ଏସଆଇଆର୍‌ (SIR), ଚୀନ, ନରୱାଣେଙ୍କ ପୁସ୍ତକ ଏବଂ ଏପଷ୍ଟିନ ଭଳି ପ୍ରସଙ୍ଗରେ ସେ ସଂସଦରେ କହିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳି ନ ଥିବା ସେ କହିଛନ୍ତି। ଏହି କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ସାର୍ବଜନୀନ ମଞ୍ଚରେ ଖୋଲା ବିତର୍କ ଚାହୁଁଛନ୍ତି। ଗତ ୧୨ ମାସ ମଧ୍ୟରେ ରାହୁଲ ଗାନ୍ଧୀ ଲଗାତାର ସପ୍ତମ ଥର ପାଇଁ ମୋଦିଙ୍କୁ ବିତର୍କ ପାଇଁ ଆହ୍ବାନ କରିଥିବା ଉଲ୍ଲେଖ କରାଯାଇଛି।

ଫୋନ ଟ୍ୟାପିଂ ନେଇ ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ଅଭିଯୋଗ ଆଣିଥିଲେ। ୧୯ ସେପ୍ଟେମ୍ବର ୨୦୨୬ରେ ଇନ୍ଦୋରରେ ଆୟୋଜିତ ‘ଛାତ୍ରଙ୍କ ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ।

 

Dharitri – Odisha’s No.1 Odia Daily

 

Share