କୋଲକାତା,୧୯ା୫: ଭାରତ ଦ୍ୱାରା କରାଯାଇଥିବା ଅପରେଶନ ସିନ୍ଦୂର ବେଳେ ଇଂଲଣ୍ଡ ତଥା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଅଲରାଉଣ୍ଡର ମୋଇନ ଅଲୀଙ୍କ ବାପା-ମା’ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିଲେ। ଏ ନେଇ ମୋଇନ ନିଜେ ସୋମବାର ପ୍ରକାଶ କରିଛନ୍ତି।
‘ମୋ ବାପା-ମା’ ଅପରେଶନ ସିନ୍ଦୂର ବେଳେ ପିଓକେରେ ଥିଲେ। ସେମାନେ ରହୁଥିବା ସ୍ଥାନଠାରୁ ଘଣ୍ଟାଏ ଦୂରରେ ଭାରତ ଦ୍ୱାରା ଷ୍ଟ୍ରାଇକ୍ କରାଯାଇଥିଲା। ପରେ ସେହି ଦିନ ଫ୍ଲାଇଟ୍ସ ଜରିଆରେ ପିଓକେରୁ ଚାଲିଯାଇଥିଲେ। ସେମାନେ ବାହାରିପାରିଥିବାରୁ ମୁଁ ବହୁତ ଖୁସି’ ବୋଲି ଅଲୀ ଏକ ପଡକାଷ୍ଟରେ କହିଛନ୍ତି।
ଏତଦ୍ ବ୍ୟତୀତ ଏକ ସପ୍ତାହ ପାଇଁ ଆଇପିଏଲ୍ ବାଧାପ୍ରାପ୍ତ ହେବା ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ, ପିଓକେ ଉପରେ ଭାରତ ଦ୍ୱାରା ଷ୍ଟ୍ରାଇକ୍ କରାଯିବା ପରେ ସବୁ କିଛି ଆରମ୍ଭ ହୋଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଯୁଦ୍ଧ ମଧ୍ୟରେ ଥିବା ଭଳି ଅନୁଭବ ହେଉଥିଲା। କିନ୍ତୁ ଆମେ କୌଣସି ମିସାଇଲ ଷ୍ଟ୍ରାଇକ୍ କରୁଥିବାର ଶବ୍ଦ ଶୁଣି ନାହୁଁ। ଆମେ ଯେମିତି ହେଲେ ସ୍ବଦେଶ ଫେରିବାକୁ ଚାହୁଁଥିଲୁ। କାରଣ ଆମ ପରିବାର ଲୋକେ ଆମ ଲାଗି ଚିନ୍ତିତ ଥିଲେ। କ’ଣ ଘଟୁଥିଲା ସେ ସମ୍ପର୍କରେ ଆମକୁ ସବୁ କିଛି ଜଣା ନ ଥିଲା। କିଛି କହୁଥିଲେ ଯେ, ଯୁଦ୍ଧ ହେବ ନାହିଁି। ସବୁ କିଛି ଠିକ ହୋଇଯିବ। ଏଭଳି ଘଟଣା ପୂର୍ବରୁ ଘଟିଛି।
ଅନ୍ୟ କିଛି ଲୋକେ ଯୁଦ୍ଧ ହେବ କହୁଥିଲେ। ଲୋକେ ଏତେ ମିଛ କହୁଥିଲେ ଯେ, ସେମାନଙ୍କ କଥା ଉପରେ ଭରସା କରିବା କଷ୍ଟକର ଥିଲା। ଫ୍ଲାଇଟ୍ସ ବାରମ୍ବାର ବାତିଲ ହେଉଥିବାରୁ ଆମକୁ ଯିବାରେ ବିଳମ୍ବ ହୋଇଥିଲା। ଏଥିଯୋଗୁ ଆମେ ଅଧିକ ଚିନ୍ତିତ ଥିଲୁ।


