Categories: ଜାତୀୟ

‘ହେଲମେଟ୍‌ କାହିଁ ପିନ୍ଧିନ’ ପଚାରିବାରୁ ଜର୍ନାଲିଷ୍ଟଙ୍କୁ କ୍ୟାମେରା ଆଗରେ ନିର୍ଯାତନା

ଗୁଆହାଟୀ,୮।୨: ‘ କାହିଁକି ହେଲମେଟ୍‌ ପିନ୍ଧି ନାହଁ ’। ଏଭଳି ପ୍ରଶ୍ନ ପଚାରିବାରୁ ଆସାମର ଜଣେ ଜର୍ନାଲିଷ୍ଟଙ୍କୁ ନିର୍ଯାତନା ଦେଇଛନ୍ତି ଦୁଇ ପୋଲିସ କନଷ୍ଟେବଳ। ଆସାମର ଚିରାଙ୍ଗ ଜିଲାରେ ରବିବାର ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପୀଡ଼ିତ ଖବରଦାତାଙ୍କ ନାମ ଜୟନ୍ତ ଦେବନାଥ। ଭାଇରାଲ ଭିଡିଓରେ ଜୟନ୍ତଙ୍କୁ ଦୁଇ ପୋଲିସ କନଷ୍ଟେବଳ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ତା’ପରେ ଦେବନାଥଙ୍କୁ ପୋଲିସ ଜିପ୍‌ରେ ବସାଇବା ପାଇଁ ଅଧିକ ପୋଲିସ ଡକାଇଥିଲେ।

“ଦୁଇ ପୋଲିସ କର୍ମୀ ବିନା ହେଲମେଟରେ ବାଇକ୍‌ ଚଳାଉଥିଲେ। ମୋର ଭୁଲ ଏତିକି ଯେ, ସାଧାରଣ ଜନତାଙ୍କୁ ଆପଣ କ’ଣ ମେସେଜ ଦେବାକୁ ଚାହୁଁଛନ୍ତି ବୋଲି ମୁଁ ସେମାନଙ୍କୁ ପ୍ରଶ୍ନ କରିଥିଲି। ସେମାନେ ଗାଳି ଗୁଲଜ କରିବା ସହ ଦିବାଲୋକରେ ମୋତେ ନିର୍ଯାତନା ଦେଇଥିଲେ। ମୁଁ ଜଣେ ଜର୍ନାଲିଷ୍ଟ କହିବା ପରେ ସେମାନେ ଆହୁରି ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ ” ବୋଲି ଦେବନାଥ କହିଛନ୍ତି।

ଏବେ ଜୟନ୍ତ ଦେବନାଥଙ୍କ ଅଭିଯୋଗକୁ ଆଧାର କରି ଆସାମ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ପୋଲିସ କର୍ମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଚିରାଙ୍ଗ ଡିଏସ୍‌ପି ଲବ ଦେକା କହିଛନ୍ତି।

Share