ସିଡନୀ,୨୭।୧୦: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଉସମାନ ଖ୍ବାଜାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ନିଜ କ୍ରିକେଟ କ୍ୟାରିୟରର ଅଧିକାଂଶ ସମୟ ସେ ରୁମାଟଏଡ ଆର୍ଥ୍ରାଇଟିସ ଭଳି ଏକ ଅଟୋଇମ୍ୟୁନ ରୋଗ ସହ ଲଢ଼େଇ କରୁଥିଲେ। ଏହି କଥା ତାଙ୍କ ଅନେକ ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ଜଣା ନ ଥିଲା। ବିଶେଷ ଚିକିତ୍ସା ନେବାକୁ ନେଇ ଅନ୍ୟମାନଙ୍କ ମନରେ ଭୁଲ ଧାରଣା ସୃଷ୍ଟି ହେବା ଆଶଙ୍କାରେ ସେ ନିଜ ରୋଗ ବିଷୟରେ ଗୋପନ ରଖିଥିଲେ।
ଅଷ୍ଟ୍ରେଲିଆ ପାଇଁ ୮୮ଟି ଟେଷ୍ଟ ମ୍ୟାଚ ଖେଳିଥିବା ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବାର କିଛି ମାସ ପରେ ଏହି କଥା ପ୍ରକାଶ କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ତାଙ୍କୁ ଏହି ରୋଗ ହୋଇଥିବା ଜଣାପଡ଼ିଥିଲା। ଏପରିକି ତାଙ୍କର ଘନିଷ୍ଠ ସାଥୀ ଡେଭିଡ ୱାର୍ନର ଓ ମାଇକେଲ ହସି ମଧ୍ୟ ଏ ସମ୍ପର୍କରେ ଅଜ୍ଞ ଥିଲେ।
ଖ୍ବାଜାଙ୍କ କହିବା ଅନୁଯାୟୀ, ସେ ନିଜ ରୋଗ ବିଷୟରେ ଦଳର ଅନ୍ୟ ଖେଳାଳିଙ୍କୁ ଜଣାଇବାକୁ ଚାହୁଁ ନ ଥିଲେ। ତାଙ୍କୁ ଅନ୍ୟ ଖେଳାଳିଙ୍କଠାରୁ ସ୍ବତନ୍ତ୍ର ସୁବିଧା ମିଳୁଛି ବୋଲି କେହି ଭାବନ୍ତୁ କିମ୍ବା ଏହି ରୋଗକୁ ତାଙ୍କ ବିରୋଧରେ ବ୍ୟବହାର କରାଯାଉ, ସେ ଚାହୁଁ ନ ଥିଲେ। ତେବେ ଦଳର ମେଡିକାଲ, କୋଚିଂ ଓ ପ୍ରଶାସନିକ ଅଧିକାରୀମାନେ ଏହା ବିଷୟରେ ଜାଣିଥିଲେ। ଏହି ରୋଗ ଜୀବନ ନେଇଯିବ ଏବଂ ତାଙ୍କ କ୍ରିକେଟର୍ ହେବାର ସ୍ବପ୍ନକୁ ଆରମ୍ଭରୁ ଶେଷ କରିଦେବ ବୋଲି ସେ ଭୟ କରୁଥିଲେ। ପ୍ରଥମେ ତାଙ୍କ ବାମ ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା। ଡାକ୍ତରମାନେ ଏହାର କାରଣ ତୁରନ୍ତ ଜାଣିପାରି ନ ଥିବାରୁ ସେ ମଧ୍ୟ ଏକ ଅସାଧ୍ୟ ରୋଗରେ ପୀଡ଼ିତ ହୋଇଥିବା ଭାବି ଭୟଭୀତ ହୋଇପଡ଼ିଥିଲେ।
ନିଜର ସେହି ଦୁର୍ଦ୍ଦିନକୁ ମନେ ପକାଇ ଖ୍ବାଜା କହିଛନ୍ତି, ସେତେବେଳେ ତାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ବାଥରୁମ ପର୍ଯ୍ୟନ୍ତ ୧୦ ମିଟର ଚାଲିଯିବା ମଧ୍ୟ କଷ୍ଟକର ହୋଇପଡ଼ୁଥିଲା। ଜଣେ ପେସାଦାର କ୍ରିକେଟର୍ ହୋଇ ମଧ୍ୟ ଏଭଳି ଅବସ୍ଥାରେ ପହଞ୍ଚିବା ତାଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ଅନୁଭୂତି ଥିଲା। ଏହି ଅନୁଭବ ସମ୍ପର୍କରେ ସେ ନିଜର ଆତ୍ମଜୀବନୀ ‘ସବ୍ର’ରେ ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ସଂଘର୍ଷର କାହାଣୀ ଅଟୋଇମ୍ୟୁନ ରୋଗରେ ପୀଡ଼ିତ ଲୋକଙ୍କୁ ନୂଆ ଆଶା ଦେବ। ତାଙ୍କ ମତରେ, ଯଦି ରୁମାଟଏଡ ଆର୍ଥ୍ରାଇଟିସ୍ରେ ପୀଡ଼ିତ ଜଣେ ବ୍ୟକ୍ତି ବିଶ୍ୱସ୍ତରୀୟ କ୍ରିକେଟ ଖେଳିପାରୁଛନ୍ତି, ତେବେ ଅନ୍ୟମାନେ ମଧ୍ୟ ନିଜ ଲକ୍ଷ୍ୟ ହାସଲ କରିପାରିବେ।
ତେବେ ଉପଯୁକ୍ତ ଚିକିତ୍ସା, ଔଷଧ ଓ ନିୟମିତ ଡାକ୍ତରୀ ପରାମର୍ଶ ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ସମ୍ଭବ। ଉସମାନ ଖ୍ବାଜାଙ୍କ ସଂଘର୍ଷର କାହାଣୀ ଏହାର ଏକ ପ୍ରେରଣାଦାୟକ ଉଦାହରଣ।