Categories: ଫୁରସତ

ମୋ ସ୍ବାସ୍ଥ୍ୟ, ମୋର ଅଧିକାର

ସମଗ୍ର ବିଶ୍ୱବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ତଥା ସେମାନଙ୍କର ସ୍ବାସ୍ଥ୍ୟ ସଂକ୍ରାନ୍ତ ସମସ୍ୟାର ସମାଧାନ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଉନ୍ନତି ଉଦ୍ଦେଶ୍ୟରେ ୧୯୪୮ ଏପ୍ରିଲ ୭ରେ ସ୍ଥାପିତ ହୋଇଥିଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଏହି ସଂସ୍ଥା ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ ଏପ୍ରିଲ ୭କୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏହି ଅବସରରେ ସ୍ବାସ୍ଥ୍ୟ ଆଧାରିତ ନିର୍ଦ୍ଦିଷ୍ଟ କୌଣସି ଏକ ବିଷୟରେ ଜନସଚେତନତା ସୃଷ୍ଟି କରିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଲକ୍ଷ୍ୟ। ତେବେ ଏହି ଦିବସ ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି ‘ମୋ ସ୍ବାସ୍ଥ୍ୟ, ମୋର ଅଧିକାର’।
ସମ୍ପ୍ରତି ପୃଥିବୀରେ କୋଟି କୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ଭଳି ମୌଳିକ ଅଧିକାର ଉପଭୋଗ କରିବାର ସୁଯୋଗ ମିଳିପାରୁନାହିଁ। ଅନେକଙ୍କ ପାଇଁ ରୋଗବ୍ୟାଧି ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା। ଅନେକ ରୋଗ ଭୋଗି ଅକର୍ମଣ୍ୟ ହୋଇପଡ଼ନ୍ତି। ଏକ ସର୍ଭେରୁ ଜଣାପଡ଼ିଛି, କେବଳ ବାୟୁ ପ୍ରଦୂଷଣ ଯୋଗୁ ପ୍ରତି ପାଞ୍ଚ ସେକେଣ୍ଡରେ କେହି ନା କେହି ମୃତ୍ୟୁବରଣ କରିବାକୁ ବାଧ୍ୟ ହେଉଛନ୍ତି।
ବିଡ଼ମ୍ବନାର ବିଷୟ ଯେ, ପୃଥିବୀର ୧୪୦ଟି ରାଷ୍ଟ୍ର ନିଜ ନିଜର ସମ୍ବିଧାନରେ ସ୍ବାସ୍ଥ୍ୟକୁ ଏକ ମାନବାଧିକାର ଭାବରେ ସ୍ବୀକୃତି ଦେଇଛନ୍ତି। ମାତ୍ର ସବୁ ନାଗରିକଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସେମାନେ ଆବଶ୍ୟକ ଆଇନ ପ୍ରଣୟନ କରିନାହାନ୍ତି। ଫଳରେ ପୃଥିବୀ ଜନସଂଖ୍ୟାର ପ୍ରାୟ ଅଧାରୁ ବେଶୀ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ।
ଚଳିତବର୍ଷର ପ୍ରସଙ୍ଗ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବେଶି ଗୁରୁତ୍ୱଦେବାକୁ ସ୍ଥିର କରିଛି। ଏହାଦ୍ୱାରା ଜନସାଧାରଣ ନିଜ ସ୍ବାସ୍ଥ୍ୟକୁ ନେଇ ଅଧିକ ସଚେତନ ରହିପାରିବେ। ଏହି ସଂସ୍ଥା ଆମ ସମସ୍ତଙ୍କୁ ସଚେତନ କରେଇ ଦେଇ କହିଛି ଯେ, ଯିଏ ଯେଉଁଠି ବାସ କରୁଥାଅ ପଛେ, ପ୍ରତ୍ୟେକଙ୍କ ପାଇଁ ଉତ୍କୃଷ୍ଟମାନର ସ୍ବାସ୍ଥ୍ୟ ସେବା, ସ୍ବାସ୍ଥ୍ୟ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ହେବା ଦରକାର। ତା’ସହ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ବିଶୁଦ୍ଧ ପାନୀୟ ଜଳ, ପ୍ରଦୂଷଣମୁକ୍ତ ବାୟୁ, ପୁଷ୍ଟିକର ଖାଦ୍ୟ, ସୁରକ୍ଷିତ ବାସଗୃହ ଉପଲବ୍ଧ ହେବା ଆବଶ୍ୟକ। ନିଜ ନାଗରିକଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସେମାନଙ୍କ ପ୍ରତି ରାଷ୍ଟ୍ରର ଅନୁକମ୍ପା ପ୍ରଦର୍ଶନ ନୁହେଁ, ଏହା ନାଗରିକଙ୍କର ମୌଳିକ ଅଧିକାର।
– ଡା. ନିତ୍ୟାନନ୍ଦ ସ୍ବାଇଁ,

‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪

Share