ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର ପାରାଦୀପରେ ପହଞ୍ଚିଛନ୍ତି । ତାଙ୍କୁ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ଭରଦ୍ ଆଣି ପାରାଦୀପ ବନ୍ଦରରେ ପହଞ୍ଚିଥିଲା।ପରେ କୋଷ୍ଟଗାର୍ଡ ପକ୍ଷରୁ ଇମିଗ୍ରେସନ, ସ୍ଥାନୀୟ ପୋଲିସ, ପ୍ରଶାସନିକ ଯାଞ୍ଚ କରିବା ପରେ ବନ୍ଦର ଚିକିତ୍ସାଳୟରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଏହାପରେ ଜାହାଜର ସ୍ବିକୃତିପ୍ରାପ୍ତ ଏଜେଣ୍ଟକୁ ହସ୍ତାନ୍ତର କରାଯାଇଛି । ଏଜେଣ୍ଟ କମ୍ପାନୀ ଦୁଇ ଚାଇନା ନାବିକଙ୍କୁ ଏକ ହୋଟେଲରେ ରଖିଛନ୍ତି ।ଏହାପରେ ବୈଦେଶିକ ନିୟମାନୁସାରେ କଲିକତା ଠାରେ ଥିବା ଚାଇନା ଦୂତାବାସ ଜରିଆରେ ତାଙ୍କ ଦେଶ ସହିତ ଆଲୋଚନା ହେବ। ତା ପରେ ବିଧିବଦ୍ଧ ଭାବେ ଭାରତ ସରକାରଙ୍କ ପକ୍ଷରୁ ସଂପୃକ୍ତ ନାବିକ ଦ୍ବୟଙ୍କୁ ସ୍ବଦେଶ ଫେରାଇ ଦିଆଯିବ ବୋଲି ଜଣାପଡିଛି ।
ଘଟଣା ସମ୍ପର୍କରେ କୋଷ୍ଟଗାର୍ଡ ଓଡିଶା ମୁଖ୍ୟାଳୟ ୭ ପାରାଦୀପ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ଯେ, ୨୨ ତାରିଖରେ ବିଜୟପୁରମ୍ ଠାରେ ଥିବା ଏମଆରସିସି (ମେରିଟାଇମ୍ ରେସ୍କୁ କୋଅର୍ଡିନେସନ ସେଣ୍ଟର)ପକ୍ଷରୁ କୋଷ୍ଟଗାର୍ଡକୁ ସୂଚନା ମିଳିଥିଲା। ଭିକ୍ଟୋରୀ ଷ୍ଟାର ଗ୍ରୁପ୍ କୋ ଲିମିଟେଡ଼ ସଂସ୍ଥା ପକ୍ଷରୁ ପାନାମା ପତାକା ଥିବା ପଣ୍ୟବାହୀ ଜାହାଜ ଭାରତୀୟ ଜଳସୀମାର ୨୩୦ ନଟିକାଲ ମାଇଲ (୪୧୪କିମି)ଦୂର ଗଭୀର ସମୁଦ୍ରରେ ଜାହାଜର ସନ୍ଧାନ ମିଳୁନାହିଁ । ୨୩୨ ମିଟର ଲମ୍ବ ଓ ୩୨ ମିଟର ପ୍ରସ୍ଥ ଜାହାଜରେ ପାରାଦୀପ ବନ୍ଦରରୁ ୭୧ ହଜାର ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିଲା।ଏହାପରେ କୋଷ୍ଟଗାର୍ଡ, ନୌସେନା ଓ ଅନ୍ୟ ନୌବାଣିଜ୍ୟ କରୁଥିବା ପାଖଆଖରେ ଥିବା ଜାହାଜ ଗୁଡିକ ସେହି ଅଞ୍ଚଳରେ ସନ୍ଧାନ କରିଥିଲେ । ଏମଟି (ମେରାଇନ୍ ଟ୍ୟାଙ୍କର)ଏଆଇସ୍ ପାଶ ଓ ମୋଲ୍ ଆଜୁରାଲ୍ ମଧ୍ୟ ସେହି ଅଞ୍ଚଳରେ ଖୋଜାଖୋଜି କରିଥିଲେ।
ବୁଡି ଯାଇଥିବା ଓସେନ୍ ଓ୍ବିନର ଜାହାଜର ଲାଇଫ୍ ରାଫ୍ଟ ଭାସୁଥିବା ଦେଖି ଏମଟି ଏଆଇସ୍ ପାଶ୍ ଜାହାଜ ଉଦ୍ଧାର କରିଥିଲେ । ଉକ୍ତ ରାଫ୍ଟ ମଧ୍ୟରେ ଦୁଇ ଜଣ ନାବିକ ଥିଲେ । ସେହି ନାବିକ ଦ୍ବୟଙ୍କୁ ଉକ୍ତ ଜାହାଜ କୋଷ୍ଟଗାର୍ଡ ଜାହାଜକୁ ହସ୍ତାନ୍ତର କରିଥିଲେ । କୋଷ୍ଟଗାର୍ଡ ପକ୍ଷରୁ ପ୍ରାଥମିକ ଚିକିତ୍ସା ଦେବା ପରେ ସେହି ଅଞ୍ଚଳରେ ଖୋଜାଖୋଜି କରିଥିଲେ । ଜାହାଜ ଅନ୍ୟ ନାବିକଙ୍କ ସନ୍ଧାନ ମିଳିବା ଆଶା କ୍ଷୀଣ ହେବାରୁ ବୁଧବାର ପାରାଦୀପ ବନ୍ଦର ଆଣି ନାବିକଙ୍କୁ ହସ୍ତାନ୍ତର କରାଯାଇଛି । ଦୁଇ ଚାଇନା ନାବିକଙ୍କ ନାମ ପାନ ଟଙ୍ଗୁଲାଇ (Pan Tonglai)ଓ ଚେନ୍ ଜିହାନେ (Chen jianhe)।ଏହାସତ୍ତ୍ୱେ ବୁଡି ଯାଇଥିବା ଅଞ୍ଚଳରେ ବୁଧବାର ପର୍ଯ୍ୟନ୍ତ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ବଳବତ୍ତର ରହିଛି ବୋଲି କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି ।
ଜାହାଜ କିପରି ବୁଡିଲା ଓ କଣ ଘଟଣା ଥିଲା ସେ ସମ୍ପର୍କରେ ଜାଣିବା ପାଇଁ ବୁଧବାର ଇମିଗ୍ରେସନ, ପୋଲିସ, ଓ ଅନ୍ୟ ତଦନ୍ତକାରୀ ଏଜେନ୍ସି ପକ୍ଷରୁ ଉଦ୍ୟମ କରାଯାଇଛି । କିନ୍ତୁ ଉଦ୍ଧାର ନାବିକ କୌଣସି ଭାଷା ବୁଝି ପାରୁନାହାନ୍ତି ବୋଲି ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି । ସନ୍ଧ୍ୟା ସୁଦ୍ଧା ଜଣେ ଚାଇନାର ଲୋକ ଜରିଆରେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି ।