Categories: ଖେଳ

ମୁରଲୀଧରନଙ୍କ ଭବିଷ୍ୟବାଣୀ: ଏହି ବୋଲର୍‌ ହିଁ ଭାଙ୍ଗିପାରିବ ମୋ ରେକର୍ଡ

ଶ୍ରୀଲଙ୍କାର ମହାନ ସ୍ପିନର ମୁଥିଆ ମୁରଲୀଧରନ ବିଶ୍ୱର ସର୍ବଶ୍ରେଷ୍ଠ ବୋଲର୍‌। ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୮୦୦ ଉଇକେଟ୍‌ ନେଇଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଆଜିକାଲି କ୍ରିକେଟର୍‌ଙ୍କ ପାଇଁ ବେଶ୍‌ କଷ୍ଟସାଧ୍ୟ। ତେବେ ମୁରଲୀଧରନ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ପିଢିିର ସ୍ପିନରଙ୍କ ମଧ୍ୟରେ ଭାରତୀୟ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ କେବଳ ତାଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ଅଟନ୍ତି। ଅଷ୍ଟ୍ରେଲିଆର ନାଥାନ ଲିଅନ ସେଠାରେ ପହଞ୍ଚିବାରେ ସକ୍ଷମ ନୁହଁନ୍ତି ବୋଲି ସେ କହିଛନ୍ତି। ଟେଷ୍ଟ କ୍ରିକେଟରେ ମୁରଲୀଧରନଙ୍କ ସର୍ବାଧିକ ୮୦୦ ଉଇକେଟ ଥିବାବେଳେ ସେନ୍‌ ୱାର୍ଣ୍ଣ (୭୦୮) ଦ୍ୱିତୀୟ ଏବଂ ଅନିଲ କୁମ୍ବଲେ (୬୧୯) ତୃତୀୟ ସ୍ଥାନରେ ଅଛନ୍ତି। ଏକ ସାକ୍ଷାତକାରରେ ମୁରଲୀଧରନ କହିଛନ୍ତି, ଅଶ୍ୱିନଙ୍କ ନିକଟରେ ତାଙ୍କ ରେକର୍ଡ ଭାଙ୍ଗିବାର ଏକ ସୁଯୋଗ ରହିଛି କାରଣ ସେ ଜଣେ ମହାନ ବୋଲର ଅଟନ୍ତି। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ୮୦୦ ରେ ପହଞ୍ଚି ପାରିବେ ନାହିଁ। ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଅନଙ୍କର ସେହି ଦକ୍ଷତା ନାହିଁ। ୭୪ ଟେଷ୍ଟରେ ଅଶ୍ୱିନ ୩୭୭ ଉଇକେଟ ନେଇଥିବାବେଳେ ନାଥନ ୯୯ ଟେଷ୍ଟରେ ୩୯୬ ଉଇକେଟ ନେଇଛନ୍ତି।

Share