Categories: ଜାତୀୟ

କେସ୍‌ ଲଢ଼ି ମନ୍ଦିରକୁ ସୁରକ୍ଷିତ ରଖିଲେ ମୁସଲମାନ ସମ୍ପ୍ରଦାୟ…

ନୂଆଦିଲ୍ଲୀ,୨୭।୯: ମନ୍ଦିରକୁ ହଟାଇ ସେଠାରେ ଆବାସିକ କମ୍ପ୍ଲେକ୍ସ୍‌ ନିର୍ମାଣ କରିବାକୁ ଚାହୁଁଥିବା ବିଲ୍ଡରଙ୍କୁ ଶେଷରେ ହାଇକୋର୍ଟରେ ଝଟ୍‌କା ଲାଗିଛି। ଏଠାରେ ବାସ କରୁଥିବା ମୁସଲମାନ୍‌ ସମ୍ପ୍ରଦାୟ ବିଲ୍ଡରଙ୍କ ବିରୋଧରେ ହାଇକୋର୍ଟରେ କେସ୍‌ ଲଢ଼ି ଶେଷରେ ମନ୍ଦିରକୁ ସୁରକ୍ଷିତ ରଖି ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଜାମିଆ ନଗରର ଓ୍ବାର୍ଡ ନମ୍ବର ୨୦୬ରେ ଏଭଳି ଘଟିଛି। ମନ୍ଦରର ଧର୍ମଶାଳାର କିଛି ଅଂଶ ଭାଙ୍ଗି ଏହାକୁ ବିଲ୍ଡର ନିଜ ଦଖଲକୁ ନେଇଥିଲେ। ମନ୍ଦିରଟି ୧୯୭୦ରେ ଏଠାରେ ନିର୍ମିତ ହୋଇଥିଲା।

ଡିଡିଏ ଲେ-ଆଉଟ୍‌ ପ୍ଲାନ୍‌ରେ ମଧ୍ୟ ମନ୍ଦିର ରହିଛି। ମନ୍ଦିର ହଟାଯିବାକୁ ବିରୋଧ କରି ଜାମିଆ ନଗର କମିଟି ଅଧ୍ୟକ୍ଷ ସୈୟଦ୍‌ ଫୈଜୁଲ ଅଜିମ୍‌ଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମନ୍ଦିରର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳ ମୁସଲମାନ୍‌ ବହୁଳ। ଏଠାରେ ପ୍ରାୟ ୪୦ରୁ ୫୦ ହିନ୍ଦୁ ପରିବାର ବାସ କରୁଛନ୍ତି। ମନ୍ଦିରରେ ଦୀର୍ଘ ୫୦ ବର୍ଷଧରି ପୂଜାର୍ଚ୍ଚନା ଜାରି ରହିଛି।

Share