ଟୁଇଟର କିଣିଲେ ମସ୍କ

ଓ୍ବାଶିଂଟନ୍‌, ୨୮ା୧୦:ଟେସ୍‌ଲା ସିଇଓ ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର କିଣିଥିବା ସ୍ପଷ୍ଟ କରିଛନ୍ତି। ଏ ନେଇ ଗୁରୁବାର ସେ ଏକ ଟୁଇଟ କରିଛନ୍ତି। ଅଧିକ ଅର୍ଥ ପାଇଁ ନୁହେଁ ବରଂ ମାନବୀୟ ସହାୟତା ପାଇଁ ସେ ଏହି ଫାର୍ମ କିଣିଥିବା କହିଛନ୍ତି। ଗତ ମେ’ରେ ମସ୍କ ଟୁଇଟର କିଣିବା ପାଇଁ କରିଥିବା ୪୪ ବିଲିୟନ ଡିଲ୍‌ ଚୂଡ଼ାନ୍ତ କରିବା ନିମନ୍ତେ ତାଙ୍କ ପାଖରେ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଥିଲା। ଏଥିରେ ବହୁସଂଖ୍ୟାରେ ଫେକ୍‌ ଆକାଉଣ୍ଟ ଥିବା ଅଭିଯୋଗ କରି ଜୁଲାଇରେ ମସ୍କ ଏହି ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟୁଇଟର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏ ନେଇ ଅଧିକ ଚିନ୍ତା କରିବା ପାଇଁ କୋର୍ଟ ଅକ୍ଟୋବର ୨୭ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ଏନେଇ ଟୁଇଟର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହା ପୂର୍ବରୁ ମସ୍କ ବୁଧବାର ସାନ୍‌ ଫ୍ରାନ୍ସିସ୍‌କୋ ସ୍ଥିତ ଟୁଇଟର କାର୍ଯ୍ୟାଳୟରେ ପହଞ୍ଚିବା ବେଳର ଭିଡିଓ ପୋଷ୍ଟ କରିଥିଲେ। ଏହାର କ୍ୟାପଶନ୍‌ରେ ସେ ‘ଚିଫ୍‌ ଟୁଇଟ୍‌’ ଲେଖିଛନ୍ତି। ସେ ହାତରେ ଏକ ଓ୍ବାଶ୍‌ ବେସିନ୍‌ ଧରି କାର୍ଯ୍ୟାଳୟ ଭିତରକୁ ଯାଉଥିବା ଭିଡିଓରେ ଦେଖିବାକୁ ମିଳଥିଲା। ‘ଏଣ୍ଟରିଂ ଟୁଇଟର ହେଡ୍‌କ୍ୱାର୍ଟର୍ସ, ଲେଟ୍‌ ଦ୍ୟାଟ୍‌ ସିଙ୍କ୍‌ ଇନ୍‌’ ବୋଲି ସେ ଟୁଇଟ୍‌ କରିଥିଲେ।

Share