ସର୍ବସାଧାରଣଙ୍କ ପାଇଁ ଖୋଲିଲା ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌

କଟକ ଅଫିସ,୧୧ା୩: କଟକ ବାରବାଟୀ ଦୁର୍ଗ ପରିସରସ୍ଥ ମ୍ୟୁଜିୟମ୍‌ ଅଫ୍‌ ଜଷ୍ଟିସ୍‌କୁ ସର୍ବସାଧାରଣଙ୍କ ଲାଗି ଶୁକ୍ରବାରଠାରୁ ଖୋଲାଯାଇଛି। ଏହି ନ୍ୟାୟିକ ସଂଗ୍ରହାଳୟ ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ। ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ଦେୟ ସମ୍ପୂର୍ଣ୍ଣ ମାଗଣା ରଖାଯାଇଥିବା ଓଡ଼ିଶା ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ସଂଗ୍ରହାଳୟକୁ ଆନୁଷ୍ଠାନିକ ଭାବେ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବା ଉପଲକ୍ଷେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ସଂଯୋଜକ କମିଟି ସଦସ୍ୟମାନଙ୍କର ମାର୍ଗଦର୍ଶନରେ ସଂଗ୍ରହାଳୟକୁ ଗୁଣାତ୍ମକମାନ ବିଶିଷ୍ଟ କରିପାରିଛି। ଏହି କାର୍ଯ୍ୟରେ ଇନ୍‌ଟାକ୍‌, ପିଲୁ ମୁଡି କଲେଜ ଅଫ୍‌ ଆର୍କିଟେକ୍ଚର, କଟକ ମହାନଗର ନିଗମ, ଓ୍ବାର୍କସ୍‌ ଡିପାର୍ଟମେଣ୍ଟ ଆଦିର ପ୍ରମୁଖ ଭୂମିକା ରହିଛି। ଓଡ଼ିଶା ସଂସ୍କୃତି, କଳା ଓ ପରମ୍ପରାରେ ସମୃଦ୍ଧ। ଓଡ଼ିଶାର ଅତୀତ ଏହି ସଂଗ୍ରହାଳୟରେ ପ୍ରତିଫଳିତ ହୋଇଛି। ଏହି ଅବସରରେ ସଂଯୋଜକ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗ୍ରହାଳୟର ରୂପରେଖ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ସଂଯୋଜକମାନେ ହେଲେ ବିଚାରପତି ଡ. ଏ.କେ. ମିଶ୍ର, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଏ.ବି. ତ୍ରିପାଠୀ, ବି.ବି. ମିଶ୍ର, ସଞ୍ଜୀବ ଚନ୍ଦ୍ର ହୋତା, ଡ. ନିବେଦିତା ମହାନ୍ତି, ଜନଜାତି ସଂଗ୍ରହାଳୟର ନିର୍ଦ୍ଦେଶକ ଏ.ବି. ଓତା, ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ଇନ୍‌ଟାକ୍‌ର ନିର୍ଦ୍ଦେଶକ ମଲ୍ଲିକା ମିତ୍ର। ବିଚାରପତି ଦେବବ୍ରତ ଦାସ ସ୍ବାଗତ ଭାଷଣ ଓ ବିଚାରପତି ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ସଂଗ୍ରହାଳୟକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଗୋଟିଏ ଥିମ୍‌ ପାଭିଲିୟନ୍‌ ଓ ୭ଟି ଗ୍ୟାଲେରି କରାଯିବା ସହ ଏକ ଲାଇବ୍ରେରି ଓ ସୋଭେନିର୍‌ ଶପ୍‌ ମଧ୍ୟ ନିର୍ମାଣ ହୋଇଛି। ଲାଇବ୍ରେରିରେ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଆଇନ ପୁସ୍ତକ ଓ ଜର୍ନାଲଗୁଡ଼ିକୁ ଉପଲବ୍ଧ କରାଯାଇଛି।