ଶିବା ହତ୍ୟାକାଣ୍ଡ ମାମଲା; ରହସ୍ୟ ଉପରୁ ହଟିଲା ପରଦା, ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଅତାବିରା, ୨୦।୧୦ (ଯୁଧିଷ୍ଠିର ମହାପାତ୍ର ): ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ଅତାବିରା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି । ମୃତକ ହେଲେ ଅତାବିରା ବସ୍ତିର ଶିବା ବିଶ୍ୱାଳ। ଏହି ଘଟଣାରେ ଅତାବିରା ପୋଲିସ ଦୁଇ ଅଭିଯୁକ୍ତ ଦୀପକ ପଞ୍ଚମ (୨୨) ଓ ସାହିଲ ଡୁଙ୍ଗୁରୀ (୨୧)ଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୀପକଙ୍କଠାରୁ ଗୋଟିଏ ଛୁରି ଜବତ କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅତାବିରା ବସ୍ତିର ସୂର୍ଯ୍ୟକାନ୍ତି ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଦୀପକ ପଞ୍ଚମ ଓ ଅନ୍ୟ ଜଣେ ଯୁବକ ତାଙ୍କ ପୁଅ ଶିବାଙ୍କୁ ଘରୁ ଡାକି ନେଇଥିଲେ । ରାତି ପ୍ରାୟ ୧୦ଟାରେ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ଏବଂ ମୃତଦେହ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ସେ ଅତାବିରା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ, ମୃତକ ଶିବା ଓ ଅଭିଯୁକ୍ତମାନେ ପରସ୍ପରକୁ ଜାଣିଥିଲେ। ଘଟଣା ଦିନ ରାତି ପ୍ରାୟ ୮ଟାରେ ସେମାନେ ଏକାଠି ଭୋଇପୁରା ଯାଇ ଫେରୁଥିବା ସମୟରେ ଅତାବିରା-ଭୋଇପୁରା ବ୍ରିଜ୍‌ ନିକଟରେ ଦୀପକ ଶିବାଙ୍କୁ ପୂର୍ବରୁ ଧାର ଦେଇଥିବା ୪ ହଜାର ୫୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଶିବା ଦୀପକ ଓ ତାଙ୍କ ମାଆଙ୍କୁ ଗାଳିଗୁଲଜ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଦୀପକ ଶିବାଙ୍କୁ ଏକ ଛୁରିରେ ଏକାଧିକ ଥର ଆକ୍ରମଣ କରିଥିବା ଜଣାପଡ଼ିଛି। ଏହାପରେ ଦୀପକ ଓ ସାହିଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ଛାନଭିନ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହି ଘଟଣାରେ ଅତାବିରା ଥାନା ପୋଲିସ କେଶ ନଂ ୪୩୭, ତାରିଖ ୧୯।୧୦।୨୦୨୬, ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୦୩(୧)/୩(୫) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: bargarh news