ଶ୍ରମିକଙ୍କୁ ହତ୍ୟା; ମିଳୁନି ସ୍ତ୍ରୀ ପିଲାଛୁଆଙ୍କ ପତ୍ତା

ଅତାବିରା,୧୭।୩: ବରଗଡ଼ ଜିଲା ଅତାବିରା ଥନା ସିଂହପାଲି ଗ୍ରାମର ଏକ ବନ୍ଦ କୋଠରୀରେ ଜଣେ ଶ୍ରମିକଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଜଣାପଡ଼ି ନାହିଁ। ସେ ଛତିଶଗଡ଼ର ମୂଳ ବାସିନ୍ଦା ଏବଂ ତାଙ୍କ ଡାକନାମ ମୁନିରାମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ମୃତଦେହ କୋଠରୀ ଭିତରେ ପଡ଼ିଥିବା ବେଳେ କବାଟର ବାହାର ପଟୁ ତାଲା ପଡ଼ିଥିବା ଯୋଗୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୋଲିସ ସେଠାରେ ମୃତଦେହ ଜଗି ରହିଛି। ଏ ସମ୍ପର୍କରେ ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ଏତଲା ହୋଇ ନ ଥିବା କହିଛନ୍ତି। ରାତି ହୋଇଯାଇ ଥିବା ଯୋଗୁ ମୃତଦେହ ଉଦ୍ଧାର ହୋଇପାରି ନାହିଁ, ଗୁରୁବାର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଥିଲେ ।
ପ୍ରକାଶ ଯେ, ଗତ କିଛିମାସ ତଳୁ ମୃତକ ତାଙ୍କ ପରିବାରକୁ ଧରି ସିଂହପାଲି ଗ୍ରାମକୁ ଆସିଥିଲେ। ଗ୍ରାମର ଗୁଣ୍ଡୁ ଭୁଏଙ୍କ ଘରକୁ ଭଡ଼ାରେ ନେଇ ସେଠାରେ ସେମାନେ ରହି ଇଟାଗଢ଼ା କାମରେ ନିୟୋଜିତ ଥିଲେ। ତେବେ ଗତ ୪/୫ଦିନ ପୂର୍ବରୁ ଶ୍ୱଶୁର ସେଠାକୁ ଆସିଥିଲେ ଏବଂ ମୃତକଙ୍କ ସ୍ତ୍ରୀ, ପିଲାଛୁଆଙ୍କୁ ନେଇ ଯାଇଥିଲେ। ଅନ୍ୟପକ୍ଷେ ସ୍ତ୍ରୀ ପିଲାଛୁଆ ଗଲା ପରଠାରୁ ମୁନିରାମଙ୍କୁ ଦେଖିବାକୁ ମିଳୁ ନ ଥିଲା ଏବଂ ବୁଧବାର ସକାଳୁ ସେ ରହୁଥିବା ଘରୁ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଏ ନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ମାତ୍ର ପୋଲିସ ପହଞ୍ଚିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ସନ୍ଧ୍ୟାରେ ତାଲା ଭାଙ୍ଗି ସେହି କୋଠରୀରେ ଶ୍ରମିକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।