ଝିଅକୁ ନିର୍ଯାତନା ଦେଇ ମାରିଦେଲେ

ଲୋଇସିଂହା,୧୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ଫଟାମୁଣ୍ଡା ଗାଁରେ ବଧୂ ହତ୍ୟା ହୋଇଥିବା ନେଇ ଲୋଇସିଂହା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ରାଣୀସର୍ଡl ଗାଁର ପ୍ରହଲ୍ଲାଦ ତ୍ରିପାଠୀଙ୍କ ସାନ ଝିଅ ବିବିଶିନୀ ତ୍ରିପାଠୀ(୨୪)ଲୋଇସିଂହା ଥାନା ଅଧୀନ ଫଟାମୁଣ୍ଡା ଗାଁ ପ୍ରଫୁଲ୍ଲ ତ୍ରିପାଠୀ(୩୨)ଙ୍କୁ ୨୦୧୬ରେ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି।

ହେଲେ ବିବାହ ପରଠାରୁ ଝିଅ ବିବିଶିନୀଙ୍କୁ ସ୍ବାମୀ, ଶାଶୁ ଏବଂ ଶ୍ୱଶୁର ନିର୍ଯାତନା ଦେଉଥିଲେ l ନିର୍ଯାତନା ଅସହ୍ୟ ହେବାରୁ ବିବିଶିନୀ ବୁଧବାର ପରିବାର ଲୋକଙ୍କୁ ଫୋନ କରି ଘରକୁ ନେଇଯିବାକୁ କହିଥିଲେ। ହେଲେ ସେହି ରାତିରେ ଜ୍ୱାଇଁ ପ୍ରଫୁଲ୍ଲ ଶ୍ୱଶୁର ଘର ଲୋକଙ୍କୁ ଫୋନ କରି ବିବିଶିନୀ ବିଷ ପିଇ ଦେଇଥିବା କହିଥିଲେ। ଖବର ପାଇ ବାପ ଘର ଲୋକେ ଡାକ୍ତର ଖାନାରେ ପହଞ୍ଚି ଥିଲେ l ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଓ ପରେ ବୁର୍ଲା ବୀରସୁରେନ୍ଦ୍ର ସାଏ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁର୍ଲା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ବୃର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ହେଲେ ଶୁକ୍ରବାର ସନ୍ଧ୍ୟାରେ ବାପ ଘର ଲୋକେ ମୃତଦେହ ଧରି ଲୋଇସିଂହା ଥାନାରେ ପହଞ୍ଚିଥିଲେ। ଶ୍ୱଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେବାସହ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି l ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।