ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ ପଛାଇ ନାହାନ୍ତି। ସିଧା ଧାରୁଆ ଅସ୍ତ୍ରରେ ବେକକୁ ହାଣି ହତ୍ୟା କରିବା ଘଟଣା ଏବେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳାଇଦେଇଛି। ଏଭଳି ଘଟଣା ଘଟିଛି ଗୁରୁବାର ପୂର୍ବାହ୍ନରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରପାଙ୍କା ଅଞ୍ଚଳରେ। ମୃତକ ହେଲେ ଉକ୍ତ ଥାନା ରୁକାନବାଡି ଗ୍ରାମର ଇଲିସାୟ ପଡ୍ରା (୩୨ )ବୋଲି ପୋଲିସ କହିଛି।
ପ୍ରକାଶ ଯେ, ରୁକାନବାଡିର ଇଲିସାୟ ଓ ତାଙ୍କ ବଡ ବାପାଙ୍କ ପୁଅ ତପନ ପଡ୍ରାଙ୍କ ମଧ୍ୟରେ ପରପାଙ୍କା ଅଞ୍ଚଳରେ ରହିଥିବା ନୁଦୁପାକାନି ହଳଦୀ ପଦର ଜମିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଗୁରୁବାର ଏହା ଉଗ୍ର ରୂପ ନେଇଥିଲା। ଫଳରେ ଉତ୍ୟକ୍ତ ହୋଇ ତପନ ଏକ ଧାରୁଆ ଅସ୍ତ୍ରରେ ଇଲିସାୟଙ୍କ ବେକକୁ ହାଣି ଦେଇଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା ପ୍ରଥମେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଧରି ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି କହିଛନ୍ତି। ଏନେଇ ଥାନାରେ ଏକ ହତ୍ୟା ମାମଲା (୧୧୬/୨୬) ରୁଜୁ କରି ଅଧିକ ତଦନ୍ତ ଚଲାଇବା ସହ ମୃତଦେହକୁ ବ୍ୟବଚ୍ଛେଦ କରାଇଥିବା ପୋଲିସ କହିଛି।