କରୋନାରେ ଘରକୁ ବନ୍ଧୁ ଆଣିବାରୁ ହତ୍ୟା

ଜଗନ୍ନାଥପ୍ରସାଦ,୧୩ା୮(ଡି.ଏନ୍‌.ଏ.)-କରୋନାରେ ଘରକୁ ବନ୍ଧୁ ଆଣିବାରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା କରଡାପଲ୍ଲୀ ଗ୍ରାମରେ ବୁଧବାର ମଧ୍ୟରାତ୍ରରେ ଦେଖିବାକୁ ମିଳିଛି। ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ପ୍ରମୋଦ ବେହେରା (୪୮)।
ପୋଲିସ କହିଛି, ପ୍ରମୋଦଙ୍କ ଘରକୁ ତାଙ୍କର କେତେଜଣ ବନ୍ଧୁ ବୁଧବାର ସକାଳେ ଭୁବନେଶ୍ୱରରୁ ଆସିଥିଲେ। କରୋନା ମହାମାରୀ ସମୟରେ କାହିଁକି ବାହାର ଜିଲାର ବନ୍ଧୁବାନ୍ଧବଙ୍କୁ ଘରେ ପୂରାଉଛ ବୋଲି ପଡୋଶୀ ପ୍ରକାଶ ବେହେରା ବିରୋଧ କରିଥିଲେ। ମଧ୍ୟରାତ୍ର ପ୍ରାୟ ୧୨ଟାରେ ପ୍ରକାଶ ସହଯୋଗୀ କାହ୍ନା ଓ ଗଣେଶଙ୍କ ସହ ଆସି ପ୍ରମୋଦଙ୍କ ଘର ସାମ୍ନାରେ ଗାଳିଗୁଲଜ କରିଥିଲେ। ପ୍ରମୋଦ ଘର ବାହାରକୁ ଆସିବାରୁ ତାଙ୍କୁ ଖଣ୍ଡା ଓ କାତିରେ ହାଣି ହତ୍ୟା କରିଥିଲେ। ଏ ନେଇ ନଂ.୧୭୮/୨୦ରେ ମାମଲା ରୁଜୁ ହୋଇଛି।