Categories: ଜାତୀୟ

୭ ବର୍ଷର ବାଳକ ନାଁରେ ହତ୍ୟା ମାମଲା

ଜୟପୁର,୧୮ା୬: ରାଜସ୍ଥାନ କୋଟାରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ନେଇ ଆଉଜଣେ ୭ ବର୍ଷୀୟ ନାବାଳକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ବାଳକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ। ତେବେ ତାଙ୍କ ଠିକ୍‌ ବୟସ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ପାଇଁ ସ୍ଥାନୀୟ ପୋଲିସ କୋର୍ଟରେ ଅବେଦନ କରିଛି। ୧୪ ବର୍ଷୀୟ ବାଳକଙ୍କ ଶରୀରର ୬୦ ଭାଗ ନିଆଁରେ ପୋଡ଼ିଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୧ ମାସର ଚିକିତ୍ସା ପରେ ବୁଧବାର ତାଙ୍କ ମୃତ୍ୟୁ ହୋଇଥିବା ସର୍କଲ ଇନ୍‌ସ୍ପେକ୍ଟର ମନୋଜ ସିଂ ସିକାରଓ୍ବାଲ କହିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ବାଳକଙ୍କ ବୟାନ ରେକର୍ଡ କରିଛି ପୋଲିସ।
ମେ ୧୩ ରେ ଦୁଇ ନାବାଳକ କୌଣସି କାରଣରୁ ମାଡ଼ଗୋଳ ହୋଇଥିଲେ। ୭ ବର୍ଷୀୟ ବାଳକ ବୋତଲରେ ତାଙ୍କ ବାପାଙ୍କ ଅଟୋରୁ ଡିଜେଲ ଆଣି ନାବାଳକଙ୍କ ଉପରେ ପକାଇବା ସହ ଏକ ଦିଆସିଲିରେ ନିଆଁ ଲଗାଇ ଦେଇଥିବା ପୋଲିସ କହିଛି। ମୃତ ବାଳକଙ୍କ ବୟାନ ଆଧାରରେ ପୋଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୭ ଅର୍ନ୍ତଗତ ମାମଲା ରୁଜୁ କରିଛି।

Share