ଠେଙ୍ଗାରେ ପିଟିପିଟି ମାରିଦେଲେ

ଅନୁଗୋଳ,୧୮।୧୦(ଅମିତ କୁମାର ସାମଲ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା କୋଠଭୂଇଁ ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଯୁବକ ସଚିତା ଭୋଇ (୨୩)ଙ୍କୁ ଖୁଣ୍ଟରେ ବାନ୍ଧି ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ପୋଲିସ କହିଛି, ସଚିତା ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଘରୁ ଧରାପଡ଼ିଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସଚିତାଙ୍କ ବଚସା ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ସଚିତା ମାଡ଼ ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ସକାଳେ ସଚିତାଙ୍କୁ ଖୁଣ୍ଟରେ ବାନ୍ଧି ଠେଙ୍ଗାରେ ପଟି ପଟି ହତ୍ୟା କରିଥିଲେ। ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମହାଳିକ କହିଛନ୍ତି, ହତ୍ୟା ଘଟଣାର ତଦନ୍ତ ଚାଲିଛି। ବର୍ତ୍ତମାନ ସୁନ୍ଧା ଅଭିଯୁକ୍ତଙ୍କୁ ଧରାଯାଇ ନାହିଁ।